ଓଡ଼ିଶାରେ ବର୍ଷାର ଅଭାବ ସ୍ଥିତି, ଜୁନ୍ ୪ ବେଳକୁ କେରଳ ଛୁଇଁପାରେ ମୌସୁମୀ

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ପକ୍ଷରୁ ଚଳିତବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ନେଇ ପୂର୍ବାନୁମାନ ଜାରି ହୋଇଛି । ଏହି ଆକଳନ କହୁଛି, ଆସନ୍ତା ଜୁନ୍ ୪ ବେଳକୁ କେରଳ ଛୁଇଁପାରେ ମୌସୁମୀ । ଏଲ୍-ନିନୋ ପ୍ରଭାବ ସତ୍ତେ୍ୱ ଏଥର ଦେଶରେ ମୌସୁମୀ ବର୍ଷା ସ୍ୱାଭାବିକ ରହିବ । ମାତ୍ର ଜୁନ୍ରେ ଦେଶର ଅଧିକାଂଶ ଅଞ୍ଚଳରେ ବର୍ଷା ନିଅଣ୍ଟିଆ ରହିବା ଆଶଙ୍କା ଅଛି । ଓଡ଼ିଶାରେ ବି ବର୍ଷା ଅଭାବ ସ୍ଥିତି ରହିପାରେ ।
ଆଇଏମ୍ଡି ଜାରି କରିଥିବା ପୂର୍ବାନୁମାନ ଅନୁସାରେ କେନ୍ଦ୍ରୀୟ ଭାରତରେ ଏ ବର୍ଷ ମୌସୁମୀ ସ୍ୱାଭାବିକ ରହିବ । ଏହି କେନ୍ଦ୍ରୀୟ ଭାରତରେ ଓଡ଼ିଶା ଆସୁଛି । ସମ୍ଭାବ୍ୟ ଚିତ୍ରରୁ ଅନୁମାନ କରାଯାଉଛି, ଓଡ଼ିଶାରେ ଜୁନ୍ରୁ ସେପ୍ଟେମ୍ବର ଭିତରେ ବର୍ଷା ସ୍ୱାଭାବିକ ରହିପାରେ । ହେଲେ ଜୁନ୍ ମାସରେ ଓଡ଼ିଶାରେ ବର୍ଷା କମିଯିବା ଆଶଙ୍କା ଅଛି । ଏମିତି ହେଲେ ଚାଷ ବିଳମ୍ବିତ ହେବ । ବୁଣାବୁଣି, ରୁଆ ଡେରି ହୋଇପାରେ । ଖାଲି ସେତିକି ନୁହେଁ, ଜୁନ୍ରେ ତାତିର ଅସହ୍ୟ ପ୍ରକୋପ ଜାରି ରହିବ । ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବ । ଉପକୂଳ ଓ ସଂଲଗ୍ନ ଅଞ୍ଚଳରେ ଭୀଷଣ ଗ୍ରୀଷ୍ମ ପ୍ରକୋପ ଛଟପଟ କରିପାରେ ।
କାଳବୈଶାଖୀ ବର୍ଷା ଯୋଗୁ ଉପକୂଳ ସମେତ କେତେକ ଅଞ୍ଚଳରେ ଶୁକ୍ରବାର ତାପମାତ୍ରା ସାମାନ୍ୟ କମିଥିଲା । ମାତ୍ର ଗରମ ପ୍ରକୋପ ଏବେ ବିଶେଷ କମିନପାରେ । ପାଣିପାଗ ବିଭାଗର ଆକଳନ ଅନୁସାରେ ଆସନ୍ତା ୪ ଦିନ ତାତିରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ । ପଶ୍ଚିମ ଓ ଆଭ୍ୟନ୍ତରୀଣ ଅଂଚଳରେ ପାରଦ ୪୨ ଡିଗ୍ରୀ ପାଖାପାଖି ରହିପାରେ ।
ଆଇଏମ୍ଡି ପୂର୍ବାନୁମାନ ଅନୁସାରେ, ଚଳିତବର୍ଷ ଦେଶରେ ମୌସୁମୀ ବର୍ଷା ୯୬%ରୁ ୧୦୪% ରହିବ, ଯାହାକି ସ୍ୱାଭାବିକ । ଉତ୍ତର-ପଶ୍ଚିମ ଭାରତରେ ୯୨% ବର୍ଷା ସମ୍ଭାବନା ଅଛି, ଯାହାକି ନିଅଣ୍ଟିଆ । ଜୁନ୍ରେ ଦେଶରେ ସ୍ୱାଭାବିକଠାରୁ କମ୍ ବର୍ଷା ହୋଇପାରେ । ପଞ୍ଜାବ, ହରିୟାଣା, ଦିଲ୍ଲୀ, ପଶ୍ଚିମ ଉତ୍ତର ପ୍ରଦେଶ ଏବଂ ରାଜସ୍ଥାନରେ ପୂରା ମୌସୁମୀ ବେଳେ ୯୨% ବର୍ଷା ହୋଇପାରେ । ପ୍ରଶାନ୍ତ ମହାସାଗରରେ ଏଲ୍-ନିନୋ ପ୍ରଭାବରୁ ଚଳିତ ବର୍ଷ ମୌସୁମୀରେ କମ୍ ବର୍ଷା ହୋଇପାରେ ବୋଲି କେତେକ ପାଣିପାଗ ପୂର୍ବାନୁମାନ ସଂସ୍ଥା ଓ ବିଶେଷଜ୍ଞ ଆଶଙ୍କା କରିଥିଲେ ।
Powered by Froala Editor