ପର୍ସନାଲ ରାଗ ରଖି ହତ୍ୟା କରିଛି ଗୋପାଳ:କ୍ରାଇମବ୍ରାଞ୍ଚ

ଝାରସୁଗୁଡ଼ା: ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାରେ ଜେଏମଏଫସି କୋର୍ଟରେ କ୍ରାଇମବ୍ରାଞ୍ଚ ପ୍ରିଲିମନାରି ଚାର୍ଜସିଟ ଦାଖଲ କରିଥିବା ଜଣାଯାଇଛି। ଏହା ୫୪୩ ପୃଷ୍ଠା ସମ୍ବଳିତ ବୋଲି ଜଣାଯାଇଛି। ଏଥିରେ ପୁଲିସ ଏଏସ୍ଆଇ ଗୋପାଳକୃଷ୍ଣ ଦାସଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। ସେ ପୂର୍ବର ବ୍ୟକ୍ତିଗତ ଶତ୍ରୁତା କାରଣରୁ ନବ ଦାସଙ୍କୁ ହତ୍ୟା କରିଥିବା ଦର୍ଶାଯାଇଛି। ଅଭିଯୁକ୍ତ ଗୋପାଳକୃଷ୍ଣ ଦାସ ବିରୁଦ୍ଧରେ ୩୦୭/୩୦୨/ଆର୍ମ୍ସ ଆକ୍ଟ ୨୭(ଏ) ଅନୁଯାୟୀ ଚାର୍ଜ ଫ୍ରମ୍ କରାଯାଇଛି। ତେବେ କ୍ରାଇମବ୍ରାଞ୍ଚ କେବେ ଏହି ମାମଲାର ପୂର୍ଣ୍ଣାଙ୍ଗ ଚାର୍ଜସିଟ୍ ଦାଖଲ କରିବ ସେନେଇ କୌଣସି ସ୍ପଷ୍ଟ ସୂଚନା ନାହିଁ।
ଗୋପାଳ ଜାଣତ ଅବସ୍ଥାରେ ହତ୍ୟା କରିଛି,ଏହା ପ୍ରି ପ୍ଲାନ ମର୍ଡର। ପର୍ସନାଲ ରାଗ ରଖି ସେ ହତ୍ୟା କରିଛି। ଗୋପାଳ ପାଗଳ ନୁହେଁ, ତାର ବାଇପୋଲାର ଡିଜର୍ଡର ନାହିଁ ବୋଲି କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଛି।
କ୍ରାଇମବ୍ରାଞ୍ଚ ପକ୍ଷରୁ ଜାରି କରାଯାଇଥିବା ପ୍ରେସ ରିଲିଜରେ କୁହାଯାଇଛି ଯେ ନବଙ୍କ ପ୍ରତି ଗୋପାଳଙ୍କ ମନରେ ବ୍ୟକ୍ତିଗତ ଆକ୍ରୋଶ ଓ ରାଗ ସୃଷ୍ଟି ହୋଇଥିଲା। ନବ ଦାସ ଓ ତାଙ୍କ ସମର୍ଥକଙ୍କ ପଟୁ ବିପଦ ଥିବା ଗୋପାଳ ଭାବୁଥିଲେ। ସେମାନେ ତାଙ୍କୁ ମାରି ଦେଇ ପାରନ୍ତି ବୋଲି ସେ ଭାବୁଥିଲେ। ତେଣୁ ସେ ନବ ଦାସଙ୍କୁ ହତ୍ୟା କରିବା ପାଇଁ ଯୋଜନା କରିଥିଲେ। ତେବେ ନବ ଦାସ ଓ ତାଙ୍କ ସମର୍ଥକମାନେ କାହିଁକି ତାଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିପାରନ୍ତି ବୋଲି ଗୋପାଳ ଦାସ ମନେ କରୁଥିଲେ, ସେ ନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ଜାରି କରାଯାଇଥିବା ପ୍ରେସ ରିଲିଜରେ କିଛି ଉଲ୍ଲେଖ କରାଯାଇ ନାହିଁ।
ଆଜି ମାମଲାର ତଦନ୍ତକାରୀ ଅଧିକାରୀ ଡିଏସପି ରମେଶ ଦୋରା ପହଞ୍ଚି ଜେଏମଏଫସିଙ୍କ ନିକଟରେ ଚାର୍ଜସିଟ ଦାଖଲ କରିଛନ୍ତି।
ସୂଚନାଯୋଗ୍ୟ, ଗତ ଜାନୁଆରି ୨୯ ତାରିଖରେ ତତ୍କାଳୀନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ହତ୍ୟା କରାଯାଇଥିଲା। ଅଭିଯୁକ୍ତ ଗୋପାଳକୁ ଘଟଣାସ୍ଥଳରୁ ପିସ୍ତଲ ସହ ପୁଲିସ ଗିରଫ କରିବାରେ ସକ୍ଷମ ହୋଇଥିଲା । ଗୋପାଳର ଗୁଜରାଟ ଗାନ୍ଧୀନଗର ସ୍ଥିତ ଫରେନସିକ୍ ଲ୍ୟାବରେ ପଲିଗ୍ରାଫ୍ ଓ ନାର୍କୋ ଟେଷ୍ଟ କରାଯାଇଥିଲା । ଦିଲ୍ଲୀ ଫରେନସିକ୍ ଲ୍ୟାବ୍ର ବିଶେଷଜ୍ଞଙ୍କ ଦ୍ୱାରା ଝାରସୁଗୁଡ଼ାରେ ଗୋପଳର ହୋଇଥିବା ଏଲ୍ଭିଏ ଟେଷ୍ଟର ମଧ୍ୟ ତର୍ଜମା କରାଯାଇଥିଲା । ଏସସିବି ମାନସିକ ଚିକିତ୍ସା ପ୍ରତିଷ୍ଠାନର ୫ ଜଣିଆ ବିଶେଷଜ୍ଞ ଟିମର ଯାଞ୍ଚ ସହ ନିମହାନ୍ସ ବିଶେଷଜ୍ଞ ଦଳ ମଧ୍ୟ ମାନସିକ ସ୍ଥିତିର ପରୀକ୍ଷା କରିଥିଲେ।
Powered by Froala Editor