ସାଢେ ୧୧ଟା ସୁଦ୍ଧା ଭୁବନେଶ୍ୱରରେ ୩୬.୨ ଡ଼ିଗ୍ରୀ ରେକର୍ଡ
ଭୁବନେଶ୍ଵର : ଅଣନିଶ୍ୱାସୀ କରୁଛି ପାଣିପାଗ । ଅସହ୍ୟ ଗରମ ଓ ଗୁଳୁଗଳି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଦିନ ସାଢେ ୧୧ଟା ସୁଦ୍ଧା ତାପମାତ୍ରା ରେକର୍ଡ କରାଯାଇଛି। ଝାରସୁଗୁଡ଼ାରେ ସର୍ବାଧିକ ୪୦.୬ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ସମ୍ବଲପୁରରେ ୪୦.୪ ଡ଼ିଗ୍ରୀ, ହୀରାକୁଦରେ ୩୯.୪ ଡ଼ିଗ୍ରୀ, ଚାନ୍ଦବାଲିରେ ୩୭.୮ ଡ଼ିଗ୍ରୀ, ଭୁବନେଶ୍ୱରରେ ୩୬.୨ ଡ଼ିଗ୍ରୀ, କେନ୍ଦୁଝରରେ ୩୪.୮ ଡ଼ିଗ୍ରୀ, ବାଲେଶ୍ୱରରେ ୩୪.୬ ଡ଼ିଗ୍ରୀ, ପୁରୀରେ ୩୪.୦ ଡ଼ିଗ୍ରୀ, ଗୋପାଳପୁରରେ ୩୩.୪ ଡ଼ିଗ୍ରୀ, ପାରାଦୀପରେ ୩୩.୦ ଡ଼ିଗ୍ରୀ ରେକର୍ଡ କରାଯାଇଛି।
ଏବେ ତାତିରୁ ମିଳିବନି ନିସ୍ତାର। ୨୧ ତାରିଖ ପର୍ୟ୍ୟନ୍ତ ତତଲା ତାଉଆରେ ଭାଜି ହେବ ଅଧା ଓଡ଼ିଶା। ନୂଆପଡ଼ା, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ବରଗଡ଼, ଅନୁଗୁଳ, ବଲାଙ୍ଗୀର, ସୋନପୁର, ବୌଦ୍ଧ ଓ କଳାହାଣ୍ଡି ଜିଲ୍ଲାର ସର୍ବୋଚ୍ଚ ତାପମାତ୍ରା ରେକର୍ଡ ଭାଙ୍ଗିବ। ୪୨ ଡିଗ୍ରି ଡେଇଁଯିବ ଅଧିକାଂଶ ସହର। ଉପକୂଳ ଓଡ଼ିଶା ଓ ସଂଲଗ୍ନ ଜିଲ୍ଲାଗୁଡ଼ିକରେ ତାପମାତ୍ରା ୪୦ ଡିଗ୍ରି ମଧ୍ୟରେ ରହିବ। ମାତ୍ର ଅସ୍ତବ୍ୟସ୍ତ କରିପକାଇବ ପ୍ରବଳ ଗୁଳୁଗୁଳି। ସ୍ଥାନେ ସ୍ଥାନେ କାଳବୈଶାଖୀ ହେବାର ସମ୍ଭାବନା ରହିଥିଲେ ମଧ୍ୟ ତାହାର କୌଣସି ସୁଫଳ ମିଳିବ ନାହିଁ। ଗ୍ରୀଷ୍ମ ପ୍ରବାହ ଜାରି ରହିବାକୁ ଥିବାରୁ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ମଧ୍ୟରେ ଜନସାଧାରଣ ସତର୍କତା ଅବଲମ୍ବନ କରିବାକୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି।
Powered by Froala Editor