ଫେରିଛି କାଳବୈଶାଖୀ, ଗୁଳୁଗୁଳିରୁ ମିଳିଛି ଆଶ୍ବସ୍ତି
ଭୁବନେଶ୍ୱର: ରାଜ୍ୟକୁ ଫେରିଛି କାଳବୈଶାଖୀ। ତାତି ଓ ଗୁଳୁଗୁଳିରୁ ମିଳିଛି ସାମାନ୍ୟ ଆଶ୍ବସ୍ତି । ଉପକୂଳ ଓଡ଼ିଶାରେ କାଳବୈଶାଖୀ ସକ୍ରିୟ ରହିଛି, ଫଳରେ କିଛି ଜିଲ୍ଲାରେ ବର୍ଷା ହୋଇଛି । ଉତ୍ତର ବିହାରରୁ କେନ୍ଦ୍ରୀୟ ଛତିଶଗଡ଼ ଯାଏଁ ଲମ୍ବିଥିବା ଟ୍ରପଲାଇନ୍ ପ୍ରଭାବରେ କାଳବୈଶାଖୀ ବର୍ଷା ହୋଇଛି। ଆସନ୍ତା ୫ଦିନ ଯାଏଁ ରାଜ୍ୟରେ ଦିନର ତାପମାତ୍ରାରେ ବିଶେଷ ଫରକ୍ ପଡ଼ିବନି। ୨୩ତାରିଖ ବେଳକୁ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ଫଳରେ ତାପମାତ୍ରା କମିବ ବୋଲି ଆକଳନ କରାଯାଉଛି ।
ସେପଟେ ରାଜ୍ୟରେ ବଢିବାରେ ଲାଗିଛି ତାପମାତ୍ରା। ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ଉତ୍ତପ୍ତ ବାୟୁ କ୍ରମାଗତ ଭାବେ ରାଜ୍ୟକୁ ପ୍ରବେଶ କରୁଛି। ବାୟୁମଣ୍ଡଳରେ ଜଳୀୟବାଷ୍ପର ମାତ୍ରା କମିବାରୁ କାଳବୈଶାଖୀ ବର୍ଷା କମିଛି। ସୂର୍ୟ୍ୟଙ୍କ ପ୍ରଖର କିରଣ ପାଇଁ ତାପମାତ୍ରା ବଢୁଛି। ଉତ୍ତର ପଶ୍ଚିମ ବାୟୁ ତାପମାତ୍ରାକୁ ଆହୁରି ବଢାଉଛି।
ଗତକାଲି ରାଜ୍ୟର ୧୮ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା । ଆଜି ଗ୍ରୀଷ୍ମ ପ୍ରବାହ ପାଇଁ ଆଭ୍ୟନ୍ତରୀଣ ଓଡ଼ିଶାର ୫ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଆସନ୍ତା ୨୨ତାରିଖ ଯାଏଁ ଏଭଳି ପାଗ ଜାରି ରହିବ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର । ଗ୍ରୀଷ୍ମ ପ୍ରବାହ ପାଇଁ ଦିନ ୧୧ଟା ଠାରୁ ୩ଟା ଯାଏଁ ଆବଶ୍ୟକତା ନଥିଲେ ଘରୁ ନବାହାରିବାକୁ ପରାମର୍ଶ ଦେଇଛି ପାଣିପାଗ କେନ୍ଦ୍ର।
Powered by Froala Editor