୨୨ କୋଟି ମଞ୍ଜୁର : ସାତଭାୟା ବଗପାଟିଆ ହେବ ଆଦର୍ଶ କଲୋନୀ
କେନ୍ଦ୍ରାପଡ଼ା ଜିଲ୍ଲା ସାତଭାୟା ବଗପାଟିଆ ଥଇଥାନ କଲୋନୀ ହେବ ଆଦର୍ଶ କଲୋନୀ। ୫ଟି ସଚିବ ଭିକେ ପାଣ୍ଡିଆନ୍ଙ୍କ ଗସ୍ତର ଚବିଶ ଘଣ୍ଟା ମଧ୍ୟରେ ବାଇଶ କୋଟି ଟଙ୍କା ମଞ୍ଜୁର ହୋଇଛି। ଏହି ଅର୍ଥରେ ସେ ଅଞ୍ଚଳରେ ବନ୍ଧବାଡର ସୁଦୃଢୀକରଣ ସହିତ ହିତାଧିକାରୀଙ୍କ ବାସଗୃହ, ଜୀବିକା କାର୍ଯ୍ୟକ୍ରମ, ରାସ୍ତା, ପିଇବା ପାଣି, ବିଜୁଳି ଓ ପଞ୍ଚାୟତ ଗୃହ ଆଦି ଭିତ୍ତିଭୂମିର ବିକାଶ କରାଯିବ। ଏହା ସହିତ ଲୋକଙ୍କ ଆବଶ୍ୟକତା ଭିତ୍ତିରେ ସେମାନଙ୍କୁ ଚାଷ ଜମି ମଧ୍ୟ ଯୋଗାଇଦିଆଯିବ। ସେହିପରି ପ୍ରସିଦ୍ଧ ପଞ୍ଚୁବରାହୀ ପୀଠରେ ଭିତ୍ତିଭୂମିର ଉନ୍ନତି ଓ ସୌନ୍ଦର୍ଯ୍ୟକରଣ ସହ ଲାଇଟ୍ ଏବଂ ସାଉଣ୍ଡର ବ୍ୟବସ୍ଥା କରାଯାଇ ଏହାକୁ ଏକ ପ୍ରମୁଖ ପର୍ଯ୍ୟଟକ ସ୍ଥାନ ଭବରେ ବିକଶିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ପର୍ଯ୍ୟଟନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଗତ ୨୭ ଓ ୨୮ ତାରିଖ ଦୁଇ ଦିନ ଧରି ୫ଟି ସଚିବ ଶ୍ରୀ ପାଣ୍ଡିଆନ୍ କେନ୍ଦ୍ରପଡା ଗସ୍ତ କରିଥିଲେ। ଗସ୍ତର ଦ୍ଵିତୀୟ ଦିନରେ ୨୮ ତାରିଖ ଦିନ ସେ ସାତଭାୟା ବଗପାଟିଆ ଅଞ୍ଚଳ ପରିଦର୍ଶନ କରିଥିଲେ।
ଏହି ସମୟରେ ପାଣ୍ଡିଆନ ବିସ୍ଥାପିତ ଲୋକମାନଙ୍କୁ ଭେଟିଥିଲେ। ସେମାନଙ୍କ ସମସ୍ୟା ବୁଝିଥିଲେ। ସରକାରଙ୍କ ଯୋଜନା ବିଷୟରେ ଲୋକଙ୍କ ସହ ଆଲୋଚନା କରିଥିଲେ । ପରେ ଭୁବନେଶ୍ବର ଫେରି ମୁଖ୍ୟମନ୍ତ୍ରୀଙ୍କୁ ସ୍ଥାନୀୟ ଲୋକଙ୍କ ଆବଶ୍ୟକତା ସମ୍ପର୍କରେ ଅବଗତ କରିଥିଲେ। ଆଲୋଚନା ପରେ ମୁଖ୍ୟମନ୍ତ୍ରୀ ସାତଭାୟା ବଗପାଟିଆ ଆଦର୍ଶ କଲୋନୀ ନିମନ୍ତେ ପ୍ରଥମ ପର୍ଯ୍ୟାୟରେ ତୁରନ୍ତ ୨୨କୋଟି ୫୦ଲକ୍ଷ ୭୧ହାଜର ଟଙ୍କାର ପ୍ୟାକେଜ ମଞ୍ଜୁର କରିଛନ୍ତି।
Powered by Froala Editor