ଶିକ୍ଷକଙ୍କୁ ୯୦ବର୍ଷ ଜେଲଦଣ୍ଡ ଦଣ୍ଡାଦେଶ

ସୁନ୍ଦରଗଡ :୬୨ବର୍ଷୀୟ ଲମ୍ପଟ ଶିକ୍ଷକ ଦେବାନନ୍ଦ ପଟେଲଙ୍କୁ ୯୦ବର୍ଷ ଜେଲଦଣ୍ଡ ଦଣ୍ଡାଦେଶ ଦେଇଛନ୍ତି, ସୁନ୍ଦରଗଡ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ତଥା ସ୍ୱତନ୍ତ୍ର ପୋକ୍ସୋ କୋର୍ଟ । କୋର୍ଟ ଅଭିଯୁକ୍ତ ବିରୋଧରେ ଲାଗିଥିବା ବିଭିନ୍ନ ଦଫାକୁ ବିଚାର କରି ପ୍ରାୟ ନବେ ବର୍ଷ ଦଣ୍ଡାଦେଶ ଦେଇଛନ୍ତି ।
ଅଭିଯୁକ୍ତ ଦେବାନନ୍ଦ ପଟେଲଙ୍କ ବିରୋଧରେ ସେ ଶିକ୍ଷକ ଥିବା ସ୍କୁଲର ଏକାଧିକ ଛାତ୍ରୀଙ୍କୁ ଯୌନ ନିର୍ୟାତନା ଦେଇଥିବା ଅଭିଯୋଗ ହୋଇଥିଲା । ତାଙ୍କ ବିରୋଧରେ ଲିଖିତ ଭାବେ ପ୍ରାୟ ୧୧ଜଣ ଛାତ୍ରୀ ଅଭିଯୋଗ କରିଥିଲେ । ୨୦୧୫ ନଭେମ୍ବର ମାସରେ ଏନେଇ ଜଣେ ଛାତ୍ରୀଙ୍କ ଅଭିଭାବକ ଥାନାର ଦ୍ୱାରସ୍ଥ ହୋଇଥିଲେ । ତାପରେ ଦେବାନନ୍ଦଙ୍କୁ ଗିରଫ କରିଥିଲା ପୋଲିସ । କିନ୍ତୁ ମାମଲା ବିଚାରାଧିନ ରହିଥିଲା । ଆଉ ଏବେ ମାମଲାର ବିଚାର କରି କୋର୍ଟ ଦଣ୍ଡାଦେଶ ଶୁଣାଇଛନ୍ତି ।
କେତେକ ଦଫାର ଦଣ୍ଡକୁ ମିଶାଇ ଅଭିଯୁକ୍ତ ଦେବାନନ୍ଦଙ୍କୁ ମୋଟ ୯୦ବର୍ଷ ଦଣ୍ଡାଦେଶ ଦେଇଛନ୍ତି ବିଚାରପତି । ତେବେ ଆମ ଦେଶର ଆଇନ ବ୍ୟବସ୍ଥା ଅନୁସାରେ ଅଭିଯୁକ୍ତ ସର୍ବାଧିକ ୧୦ବର୍ଷ ସଜା କାଟିବେ ।ଅଭିଯୁକ୍ତ ଦେବାନନ୍ଦ ୨୦୧୫ ଡିସେମ୍ବର ମାସରୁ ଏପର୍ୟ୍ୟନ୍ତ ଜେଲରେ ଅଛନ୍ତି । ଅର୍ଥାତ ଆଉ ତିନି ବର୍ଷ କିଛି ମାସ ଜେଲରେ ରହିବେ । ଏଥିସହ ୪୭ହଜାର ଟଙ୍କା ଜରିମାନା ଦେବେ । ଅନ୍ୟପଟେ ପୀଡିତା ଛାତ୍ରୀଙ୍କୁ ୨୮ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ସହାୟତା ରାଶି ପ୍ରଦାନ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକକରଣକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
Powered by Froala Editor