ସଂକ୍ରମଣକୁ ଏଡ଼ାଇବା ପାଇଁ ମାସ୍କ ପିନ୍ଧିବାକୁ ଅପିଲ କଲେ ପ୍ରଧାନମନ୍ତ୍ରୀ
ଚୀନ, ଆମେରିକା ଓ ଜାପାନ ଆଦି ଦେଶରେ କରୋନାର ଦ୍ରୁତ ସଂକ୍ରମଣ ମଧ୍ୟରେ ଭାରତ ସରକାର ସତର୍କ ହୋଇଛନ୍ତି। ଚାଇନାର ଆତଙ୍କ ଖେଳାଇଥିବା ଓମିକ୍ରନ ଭାରିଏଣ୍ଟର ବିଏଫ ୭ ଓଡ଼ିଶା ଓ ଗୁଜରାଟରୁ ଠାବ ହେବା ପରେ ସମସ୍ତେ ଆତଙ୍କିତ ହୋଇପଡ଼ିଛନ୍ତି।
ସ୍ଥିତିକୁ ଦେଖି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୋଟିଏ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ସମୀକ୍ଷା ପରେ ସେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରି ନାହାନ୍ତି। କିନ୍ତୁ ନିଜର ସୁରକ୍ଷା ଓ ସଂକ୍ରମଣ ଜନିତ ବିପଦକୁ ଏଡ଼ାଇବା ପାଇଁ ଦେଶବାସୀଙ୍କୁ ମାସ୍କ ପିନ୍ଧିବାକୁ ଅପିଲ କରିଛନ୍ତି। ଏଥିସହ ସାମାଜିକ ଦୂରତା ଓ ସାନିଟାଇଜର ବ୍ୟବହାର କରିବାକୁ ମଧ୍ୟ କହିଛନ୍ତି। ଏହାବାଦ ସେ ରାଜ୍ୟ ସରକାର ସର୍ଭେଲାନ୍ସକୁ ଜୋରଦାର କରିବା ସହ କରୋନା ଟେଷ୍ଟିଂ ବୃଦ୍ଧି କରିବାକୁ କହିଛନ୍ତି। ଏହାବାଦ କରୋନାର ନୂଆ ଭାରିଏଣ୍ଟକୁ ଯଥାଶୀଘ୍ର ଚିହ୍ନଟ କରିବା ପାଇଁ ଅଧିକରୁ ଅଧିକ ନମୁନାର ଜେନୋମ ସିକ୍ୱେନ୍ସିଂ ପାଇଁ ପରାମର୍ଶ ଦେଇଛନ୍ତି।
ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂତ୍ରରୁ ପ୍ରକାଶ ଯେ ବର୍ତ୍ତମାନ ପର୍ଯ୍ୟନ୍ତ ଚୀନରେ ସଂକ୍ରମଣ ବୃଦ୍ଧି ପାଇଁ ଦାୟୀ ବିଏଫ.୭ ଭାରିଆଣ୍ଟ ଦ୍ବାରା ଜୁଲାଇରେ ୪ଜଣ ଭାରତୀୟ ସଂକ୍ରମିତ ହୋଇଥିଲେ। ତେବେ ସଂକ୍ରମଣକୁ ନଜରରେ ରଖି ବର୍ତ୍ତମାନ ଚାଲିଥିବା ସଂସଦ ଅଧିବେଶନରେ ଅନେକ ନେତା ମାସ୍କ ପିନ୍ଧିବା ଆରମ୍ଭ କରିଛନ୍ତି।
Powered by Froala Editor