ତାଲିବାନ ପକ୍ଷରୁ ନୂଆ ନିୟମ ଜାରି, ୟୁନିଭର୍ସିଟିରେ ଆଉ ପାଠ ପଢିପାରିବେନି ମହିଳା
କାବୁଲ : ଆଫଗାନିସ୍ତାନରେ ତାଲିବାନ ପକ୍ଷରୁ ନୂଆ ନିୟମ ଜାରି କରାଯାଇଛି । ଏହା ଅନୁସାରେ ୟୁନିଭର୍ସିଟିରେ ଯୁବତୀ ଓ ମହିଳାମାନେ ଆଉ ପାଠ ପଢିପାରିବେନି । ଏହାକୁ ସଂପୂର୍ଣ୍ଣ ନିଷେଧ କରାଯାଇଛି ।ତାଲିବାନ ସରକାରରେ ଉଚ୍ଚଶିକ୍ଷା ମନ୍ତ୍ରୀ ନେଦା ମହମ୍ମଦ ନଦୀମ ସମସ୍ତ ସରକାରୀ ଓ ବେସରକାରୀ ବିଶ୍ୱବିଦ୍ୟାଳୟକୁ ଚିଠି ଲେଖି ନୂଆ ନିୟମ କାର୍ଯ୍ୟକାରୀ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ପରବର୍ତ୍ତୀ ନୋଟିସ୍ ଜାରି ନହେବା ଯାଏ ଏହି ନିୟମ ବଳବତ୍ତର ରଖିବାକୁ କୁହାଯାଇଛି । ତାଲିବାନର ଏହି ନୂଆ ନିୟମକୁ ନେଇ ଜାତିସଙ୍ଘ ପକ୍ଷରୁ ଚିନ୍ତାବ୍ୟକ୍ତ କରାଯାଇଛି ।
ଜାତିସଙ୍ଘ ମହାସଚିବ ଆଣ୍ଟୋନିଓ ଗୁଟେରସ କହିଛନ୍ତି ଯେ, ଯୁବତୀ ଓ ମହିଳାଙ୍କୁ ଉଚ୍ଚଶିକ୍ଷାରୁ ବଂଚିତ କରାଯିବା ଉଚିତ୍ ନୁହେଁ । ତାଲିବାନ ଏଭଳି କରି ସେମାନଙ୍କ ମାନବାଧିକାର ହନନ କରୁଛି । ଆମେରିକାର ବିଦେଶ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ ତାଲିବାନକୁ ଅନ୍ତର୍ଜାତୀୟ ସମୁଦାୟର ସଦସ୍ୟ ଭାବେ ଆଦୌ ଗ୍ରହଣ କରାଯିବ ନାହିଁ ବୋଲି କହିଛନ୍ତି ।
ସେଠାରେ ପାଠ ପଢୁଥିବା ଜଣେ ଛାତ୍ରୀ କହିଛନ୍ତି, ତାଲିବାନ ସେହି ଶେଷ ସତକୁ ନଷ୍ଟ କରିଦେଇଛି, ଯାହା ମୋତେ ମୋ ଭବିଷ୍ୟତ ସହ ଯୋଡି ଥାଆନ୍ତ । ପାଠପଢା ଦ୍ୱାରା ମୁଁ ମୋ ଜୀବନକୁ ବଦଳାଇ ପାରିବି ବୋଲି ଭାବିଥିଲି । କିନ୍ତୁ ତାଲିବାନ ମୋର ସମସ୍ତ ବିଶ୍ୱାସକୁ ଚୂରମାର କରିଦେଇଛି ।
Powered by Froala Editor