ଚତୁର୍ଥ ଶ୍ରେଣୀ ଛାତ୍ରକୁ ପ୍ରଥମ ମହଲାରୁ ଠେଲିଦେଲେ ଶିକ୍ଷକ
ବେଙ୍ଗାଲୁରୁ: କର୍ଣ୍ଣାଟକ ଗଡ଼ଗ ଜିଲ୍ଲା ହାଦଲିନ ଗ୍ରାମରେ ଜଣେ ଶିକ୍ଷକଙ୍କ ବର୍ବରତା ସୀମା ଟପିଛି । ଜଣେ ଚତୁର୍ଥ ଶ୍ରେଣୀ ଛାତ୍ରକୁ ରଡ଼ରେ ମାଡ଼ ମାରିବା ସହ ପ୍ରଥମ ମହଲାରୁ ଠେଲି ଦେବାରୁ ତା’ର ମୃତୁ୍ୟ ଘଟିଛି । ମୃତ ଛାତ୍ର ହେଲେ ଭରତ ବାର୍କର । ଘଟଣା ପରେ ଶିକ୍ଷକ ମୁଥାପ୍ପା ଫେରାର ହୋଇଯାଇଛନ୍ତି । ତାଙ୍କୁ ଧରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛି ।
ସରକାରଙ୍କ ଦ୍ୱାରା ପରିଚାଳିତ ଏକ ମଡେ଼ଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗେଷ୍ଟ ଟିଚର ମୁଥାପ୍ପା ପାଠ ପଢ଼ଶଉଥିବାବେଳେ କୌଣସି କାରଣରୁ ଭରତଙ୍କୁ ମାଡ଼ ମାରିଥିଲେ । ଏପରିକି ଏକ ଲୁହାରଡ଼ରେ ତାଙ୍କୁ ପିଟିବା ପରେ ପ୍ରଥମ ମହଲାରୁ ତଳକୁ ଫିଙ୍ଗି ଦେଇଥିଲେ । ଭରତଙ୍କ ମା’ ଗୀତା ମଧ୍ୟ ସେହି ସ୍କୁଲର ଜଣେ ଶିକ୍ଷୟିତ୍ରୀ । ସେ କ୍ଲାସରେ ପହଞ୍ଚି ମୁଥାପ୍ପାଙ୍କୁ ରୋକିବାକୁ ଚେଷ୍ଟା କରିଥିଲେ ହେଁ ପରିନଥିଲେ । ଗୁରୁତର ଅବସ୍ଥାରେ ଭରତଙ୍କୁ ଡ଼ାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୁଥାପ୍ପାଙ୍କ ନାମରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
Powered by Froala Editor