ମାଛି ପାଇଁ ଭାଙ୍ଗୁଛି ବାହାଘର
କୌଣସି ଯୌତୁକ ପ୍ରଥା ପାଇଁ ନୁହେଁ । ବରଂ ମାଛିମାନଙ୍କ ଆତଙ୍କ ପାଇଁ ଉତ୍ତରପ୍ରଦେଶ ହରଦୋଇ ଜିଲ୍ଲା ଅହିରୋରୀ ବ୍ଲକର କିଛି ଗାଁରେ ବିବାହ କରିବାକୁ ରାଜି ହେଉନାହାନ୍ତି । ଲୋକେ ମାଛିଙ୍କୁ ନେଇ ଅତିଷ୍ଠ ହୋଇ ପଡିଛନ୍ତି। ତେଣୁ ବ୍ଲକ୍ର କୌଣସି ଗାଁରେ ଝିଅ ବାହା ଦେବାକୁ ଲୋକେ ଅରାଜି । ମାଛିଙ୍କ ଯୋଗୁ ଗାଁର ବୋହୂମାନେ ଘର ଛାଡି ପଳାଇଛନ୍ତି। ଖାସ ମାଛି ସମସ୍ୟା ଯୋଗୁ ଏହି ସବୁ ଗାଁର ଯୁବକଙ୍କୁ ବିବାହ ପ୍ରସ୍ତାବ ବି ମିଳୁନି। ପରିସ୍ଥିତି ଏବେ ଏପରି ହୋଇଛି ଯେ ଲୋକେ ମାଛିଙ୍କ ସମସ୍ୟାରୁ ମୁକ୍ତି ଲାଗି ସଡକକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି।
୨୦୧୪ ମସିହାରେ ଭାରତ ସରକାରଙ୍କ ଆର୍ଥିକ ସହାୟତାରେ ଏଠାରେ ଏକ ପଲେଟ୍ରି ଫାର୍ମ ସ୍ଥାପନା ନିମନ୍ତେ କୁଇୟା ଗ୍ରାମସଭାରେ ପ୍ରସ୍ତାବ ଗୃହୀତ ହୋଇଥିଲା। ପ୍ରସ୍ତାବ ଅନୁସାରେ ସାଗୱାନରେ ପଲେଟ୍ରି ଫାର୍ମ ସ୍ଥାପନା ହୋଇଥିଲା, ଯେଉଁଠୁ ୨୦୧୭ ମସିହାରେ ଉତ୍ପାଦନ ଆରମ୍ଭ ହୋଇଥିଲା। ପଲେଟ୍ରି ଫାର୍ମ ଯେତିକି ପୁରୁଣା ହେଉଛି ଆଖପାଖ ଗ୍ରାମାଞ୍ଚଳ ଲାଗି ମାଛି ସମସ୍ୟା ଉତ୍କଟ ହେବାରେ ଲାଗିଛି।
ପଲେଟ୍ରି ଫାର୍ମରୁ ୩୦୦ ମିଟର ଦୂରରେ ରହିଛି ବଢଇନପୂରବା ଗାଁ। ଗ୍ରାମର ମୁଖିଆ ମାଛି ସମସ୍ୟାରେ ଗୁରୁତର ପ୍ରଭାବିତ ଗ୍ରାମରେ ଶ୍ରବଣ କୁମାର ବର୍ମାଙ୍କ ନେତୃତ୍ୱରେ ଗତ ୧୦ ଦିନ ଲୋକେ ତମ୍ବୁ ବାନ୍ଧି ବିରୋଧ ପ୍ରଦର୍ଶନ କରୁଛନ୍ତି। ଶ୍ରବଣ କୁମାରଙ୍କ ଅନୁସାରେ ମାଛିଙ୍କ ଉତ୍ପାତ ଯୋଗୁ ବୋହୂମାନେ ଏବେ ଗାଁ ଛାଡି ପଳାଇଛନ୍ତି। ଗ୍ରାମର ଯୁବକମାନଙ୍କ ଲାଗି ମାଛିଙ୍କ କାରଣରୁ ଅନ୍ୟ ଗାଁରୁ ବିବାହ ପ୍ରସ୍ତାବ ମିଳୁନାହିଁ। ଚଳିତବର୍ଷ ବିବାହ ଋତୁ ଚାଲିଥିଲେ ବି ଗାଁରେ ଗୋଟିଏ ବି ବିବାହ ହେଉ ନାହିଁ। ମାଛିଙ୍କ ଯୋଗୁ ଗାଁରେ କେହି ଝିଅ ଦେବାକୁ କି ଗାଁରୁ ଝିଅ ନେବାକୁ ରାଜି ହେଉ ନଥିବା ସେ କହିଛନ୍ତି।
Powered by Froala Editor