ମୁଁ ଯେତେବେଳେ କହିବି, ସାରା ରାଜ୍ୟ ପରିବର୍ତ୍ତନ ହୋଇଯିବ : ଅର୍ଚ୍ଚନା ନାଗ

ଭୁବନେଶ୍ୱର: ଲେଡି ବ୍ଲାକ ମେଲର ଅର୍ଚ୍ଚନା ନାଗ ନିଜ ପାଟିରୁ ଏବେ ବିଷ ଓଗାଳିବା ଆରମ୍ଭ କରିଛନ୍ତି । ଇଡି ଆଜି ତାଙ୍କୁ ୭ ଦିନିଆ ରିମାଣ୍ଡରେ ନେଇଥିବାବେଳେ ଅର୍ଚ୍ଚନା ବିସ୍ଫୋରକ ବୟାନ ଦେବା ଆରମ୍ଭ କରିଛନ୍ତି । ଇଡି ତାଙ୍କୁ ଆଜି ଝାରପଡ଼ାରୁ ମେଡିକାଲ ଟେଷ୍ଟ ପାଇଁ କ୍ୟାପିଟାଲ ହସ୍ପିଟାଲ ନେଇଯାଇଥିବାବେଳେ ସେଠାରେ ବହୁ ବିସ୍ଫୋରକ ବୟାନ ଦେଇଛନ୍ତି । କ୍ୟାପିଟାଲ ହସ୍ପିଟାଲ ସମ୍ମୁଖରେ ଅପେକ୍ଷାରତ ଥିବା ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ରତିକ୍ରିୟା ଦେଇ ଅର୍ଚ୍ଚନା ଇଡି ଆଗରେ ସବୁ ସତ କହିବେ ବୋଲି କହିଛନ୍ତି। ଗତକାଲି କୋର୍ଟରେ ହାଜର ହେବା ବେଳେ ପୁଲିସ୍ ଉପରେ ଗର୍ଜିଥିବା ଅର୍ଚ୍ଚନା ସୋ’ କଲ୍ଡ ଭିକ୍ଟିମମାନେ କୁଆଡ଼େ ଗଲେ ବୋଲି ପଚାରିଥିଲେ। ଆଜିଠୁ ଅର୍ଚ୍ଚନା ୭ ଦିନିଆ ରିମାଣ୍ଡରେ ଇଡି ଅର୍ଥାତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କାର୍ୟ୍ୟାଳୟକୁ ଯାଉଥିବାରୁ ବହୁ ବଡ଼ ବଡ଼ିଆଙ୍କ ଛାତି ଧଡ଼ଧଡ଼ ହେବା ଆରମ୍ଭ କରିଥିବା ଜଣାଯାଇଛି। କାରଣ ସିବିଆଇ ତଦନ୍ତ ହେଲେ ସବୁ ସତ ପଦାକୁ ଆସିବ ବୋଲି ଗତକାଲି କହିଥିବା ଅର୍ଚ୍ଚନାଙ୍କଠାରୁ ଇଡି ଏବେ କେଉଁ କେଉଁ ସତ ଉଗାରି ପାରୁଛି ତାହା ଉପରେ ସମସ୍ତଙ୍କ ଆଖି।
ସେ କହିଛନ୍ତି ଯେ ମୁଁ ଇଡିକୁ ଅପେକ୍ଷା କରିଥିଲି । ମୁହଁ ଖୋଲିବାକୁ ସୁଯୋଗ ମିଳିବ । କିଏ କିଏ ସବୁ ସମ୍ପୃକ୍ତ ଅଛନ୍ତି, ସବୁ ପ୍ରମାଣ ଦେଖାଇବି । ପଣସ ଖାଇ ମୋ ମୁଣ୍ଡରେ ଅଠା ବୋଳିଛନ୍ତି । ୨ ଜଣ ପଣସ ଖାଇ ମୋ ମୁଣ୍ଡରେ ଅଠା ବୋଳିଛନ୍ତି ବୋଲି ଅର୍ଚ୍ଚନା କହିଛନ୍ତି । କିନ୍ତୁ କେଉଁ ୨ ଜଣ, ସେମାନଙ୍କ ନାମ ନେଇନାହାନ୍ତି ।
କେବଳ ସେତିକି ନୁହେଁ ମୁଁ ଯେତେବେଳେ କହିବି, ସାରା ରାଜ୍ୟ ପରିବର୍ତ୍ତନ ହୋଇଯିବ । ମୋତେ ସଫିସିଏଣ୍ଟ ସମୟ ଦରକାର, ୩୦ ମିନିଟ ଦରକାର ବୋଲି ଅର୍ଚ୍ଚନା ନାଗ କହିଛନ୍ତି । ଏପରିକି ମୁଁ କାହାରିକୁ ଛାଡ଼ିବିନି ବୋଲି ଅର୍ଚ୍ଚନା ଚେତାବନୀ ଦେଇଛନ୍ତି । ଏଥିସହ ସେ ଶ୍ରଦ୍ଧାଞ୍ଜଳିଙ୍କ କଲ ଡିଟେଲ୍ସ ରେକର୍ଡ ଯାଞ୍ଚ କରିବାକୁ ସେ ଦାବି କରିଛନ୍ତି । ମୋ ପାଟି ବନ୍ଦ କରି ମୋତେ ସେମାନେ ଗିରଫ କଲେ । ମୁଁ ପ୍ରେସମିଟ କରିଥାନ୍ତି । ମୁଁ କ’ଣ ଆତଙ୍କବାଦୀ । କିଛି ନଜାଣି ମୋତେ ବଦନାମ କଲେ । ମୋ ଛୁଆର ଲୁହ ପଡ଼ିବ । ମୁଁ ସମୟକୁ ଅପେକ୍ଷା କରିଛି । ଇଡି ତଦନ୍ତ କରୁ । ଯେତେ ବଡ଼ ବଡ଼ ତଦନ୍ତକାରୀ ସଂସ୍ଥା ଆସନ୍ତୁ, ମୁଁ ପ୍ରସ୍ତୁତ । ମୁଁ ପ୍ରମାଣ ଦେଖାଇବି ଯେ ମୁଁ ସମ୍ପୂର୍ଣ୍ଣ ନିଦେ୍ର୍ଧାଷ ବୋଲି ଅର୍ଚ୍ଚନା କହିଛନ୍ତି । ତେବେ ଏହି ମାମଲାରେ ବଡ଼ ବଡ଼ ନେତା ସାମିଲ ଥିବା କୁହାଯାଉଥିବାବେଳେ ଅର୍ଚ୍ଚନା ସେମାନଙ୍କ ନାମ କହିବେ ବୋଲି ଚର୍ଚ୍ଚା ହେଉଛି ।
Powered by Froala Editor