ଓଲଟିଲା ଗ୍ୟାସ ଟ୍ୟାଙ୍କର

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା କର୍ଲାପଡା ରାସ୍ତାର ପାଷ୍ଟିପଡା ନିକଟରେ ଆଜି ଏକ ଅଘଟଣ ଘଟିଛି । ଆଜି ସକାଳେ ଏକ ଗ୍ୟାସ୍ ବୋଝେଇ ଟ୍ୟାଙ୍କର ଓଲଟି ପଡିଛି । ଟ୍ୟାଙ୍କରରୁ ପ୍ରଚୁର ଗ୍ୟାସ ନିର୍ଗତ ହେଉଥିବାରୁ ଆଖପାଖ ଅଂଚଳ ଧୂଆଁମୟ ହୋଇଯାଇଛି । ସୁରକ୍ଷା ଦୃଷ୍ଟିରୁ ଜାତୀୟ ରାଜପଥ ୧୬କୁ ଦୁଇ ପାର୍ଶ୍ୱରୁ ସିଲ୍ କରି ଦିଆଯାଇଛି । ଉଭୟ ପାର୍ଶ୍ୱରେ ଗାଡିଚଳାଚଳ ବନ୍ଦ ରହିଛି । ଏହି ଅଂଚଳରେ ଥିବା ବସ୍ତି ଓ ପଡା ଗୁଡିକରେ ଲାଇନ୍ କାଟି ଦିଆଯାଇଛି । ଗ୍ୟାସ ବା ଚୁଲିରେ ନିଆଁ ଲାଗାଇ ରୋଷେଇ କରିବାକୁ ବାରଣ କରାଯାଇଛି ।
ଆଜି ସକାଳେ ଗ୍ୟାସ୍ ବୋଝେଇ ଟ୍ୟାଙ୍କରଟି ଭାବନୀପାଟଣାରୁ ରାୟପୁର ଅଭିମୁଖେ ଯିବାବେଳେ କର୍ଲାପଡା ରାସ୍ତାର ପାଷ୍ଟିପଡା ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ତେବେ ସୌଭାଗ୍ୟବଶତଃ ଏହି ଦୁର୍ଘଟଣାରେ ଡ୍ରାଇଭର କିମ୍ବା ହେଲପରଙ୍କ କୌଣସି କ୍ଷତି ହୋଇ ନଥିଲା । ଘଟଣାସ୍ଥଳରେ ପୁଲିସ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚିବା ସହିତ ବିଶେଷଜ୍ଞ ଟିମକୁ ଖବର ଦିଆଯାଇଛି । ଏହି ଟିମ ଆସିବା ପରେ ଟ୍ୟାଙ୍କରରୁ ଗ୍ୟାସ ଖାଲି କରାଯିବ ବୋଲି ସୂଚନା ମିଳିଛି ।
Powered by Froala Editor