ଅଶ୍ୱିନୀଙ୍କୁ ପୁନର୍ବାର ଚିଠି ଲେଖିଲେ ଗଣେଶ୍ୱର ବେହେରା, କାରଣ ଜାଣନ୍ତୁ
କେନ୍ଦ୍ରାପଡ଼ା : ହରିଦାସପୁର-ପାରାଦ୍ୱୀପ ରେଳପଥରେ କେନ୍ଦ୍ରାପଡ଼ା ଦେଇ ଯାତ୍ରୀବାହୀ ରେଳ ଚଳାଚଳ ଦାବିରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ପୁନର୍ବାର ଚିଠି ଲେଖିଲେ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା। ସେ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଦେଶ ସ୍ଵାଧୀନ ହେବା ପରଠାରୁ ରେଳ ସଂଯୋଗୀକରଣ କ୍ଷେତ୍ରରେ କେନ୍ଦ୍ରାପଡ଼ା ଅବହେଳିତ ହୋଇ ରହିଛି। ୨୦୨୦ ସେପ୍ଟେମ୍ଵର ୨୩ ପରଠାରୁ ଏହି ରୁଟ୍ରେ ମାଲବାହୀ ଟ୍ରେନ୍ ଚାଲୁଛି। ନିୟମିତ ପ୍ରାୟ ୨୦ଟି ମାଲବାହୀ ଟ୍ରେନ୍ ଏହି ଟ୍ରାକ୍ରେ ଯାଉଛି ଏବଂ ସରକାରଙ୍କୁ କୋଟି କୋଟି ଟଙ୍କାର ରାଜସ୍ଵ ଯୋଗାଉଛି।
ଯାତ୍ରୀବାହୀ ଟ୍ରେନ୍ ଚଳାଚଳ ପାଇଁ ସମସ୍ତ ପରୀକ୍ଷା ସରିଛି। ପୂର୍ବତଟ ରେଳବାଇ ଦ୍ୱାରା HRPCL ନୋ ଅବଜେକ୍ସନ ସାର୍ଟିଫିକେଟ୍ ଦେଇ ସାରିଛି। କୋଚିଂ ଟ୍ରେନ୍ ଚଳାଚଳ ପାଇଁ ସିଆରଏସ୍ ଅନୁମତି ଦେଇସାରିଛି। ଏପରିକି ଏହି ରୁଟ୍ରେ ୯ଟି ଷ୍ଟେସନର ନିର୍ମାଣ କାମ ମଧ୍ୟ ଦୀର୍ଘ ଦିନରୁ ସରିଛି। ଏତଦ୍ ସତ୍ତ୍ଵେ ମଧ୍ୟ ଏହି ରୁଟ୍ରେ କାହିଁକି ଯାତ୍ରୀବାହୀ ଟ୍ରେନ୍ ଚଳାଚଳ କରୁନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି।
ତେଣୁ ଏଥିପ୍ରତି ତ୍ଵରିତ ଦୃଷ୍ଟି ଦିଆଯାଇ କେନ୍ଦ୍ରାପଡା ଦେଇ କଟକରୁ ପାରାଦୀପ ପର୍ୟ୍ୟନ୍ତ ଗୋଟିଏ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ କଲେ ଅଞ୍ଚଳବାସୀ ଉପକୃତ ହେବେ। ସେହିପରି ଭଦ୍ରକରୁ ପାରାଦୀପ ପର୍ୟ୍ୟନ୍ତ ହରିଦାସପୁର ଏବଂ କେନ୍ଦ୍ରାପଡା ଦେଇ ଅନ୍ୟ ଏକ ଟ୍ରେନ୍ ଚଳାଚଳ କଲେ କୋଲକାତାରେ କାର୍ୟ୍ୟ କରୁଥିବା ଲୋକମାନେ ଉପକୃତ ହେବେ।
Powered by Froala Editor