ପୁଲିସ୍ ଓ ନକ୍ସଲ ମୁହାଁମୁହିଁ, ୨ ନକ୍ସଲ ମୃତ
ମାଲକାନଗିରି: କୁମ୍ବିଂ ଅପରେସନ ବେଳେ ମୁହାଁମୁହିଁ ହେଲେ ପୁଲିସ୍ ଓ ନକ୍ସଲ। ଉଭୟ ପକ୍ଷ ମଧ୍ୟରେ ଆଖିବୁଜା ଫାୟାରିଂ ହୋଇଥିବା ବେଳେ ଏଥିରେ ଟଳି ପଡ଼ିଲେ ୨ ନକ୍ସଲ । ଏପରି ଘଟଣା ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର କାଂକେର ଜିଲ୍ଲାରେ ଘଟିଛି। ମୃତ ୨ ନକ୍ସଲ ହେଲେ ପରତାପୁର ଏରିଆ କମିଟି ସଚିବ ଦର୍ଶନ ପଦ୍ଦା ଏବଂ ଆକ୍ସନ କମାଣ୍ଡର ରାଜେଶ ସଲାମ । ସେମାନଙ୍କ ମୁଣ୍ଡ ଉପରେ ୮ ଲକ୍ଷ ଲେଖାଏ ପୁରସ୍କାର ରାଶି ଘୋଷଣା ହୋଇଥିବା ବେଳେ ସେମାନେ ପୁଲିସ୍ ଗୁଳିରେ ଟଳି ପଡ଼ିଛନ୍ତି।
କାଂକେର ଜିଲ୍ଲା ପୁଲିସ, ଡିଆରଜି ଯବାନ ଏବଂ ବିଏସଏଫ ଯବାନ ମିଳିତ ଭାବେ କଠୋରୀ ନିକଟସ୍ଥ ଜଙ୍ଗଲରେ କୁମ୍ବି ଅପରେସନ କରିଥିଲେ। ହଠାତ୍ ବହୁ ସଂଖ୍ୟାରେ ଯବାନଙ୍କୁ ଦେଖି ନକ୍ସଲମାନେ ଅତର୍କିତ ଗୁଳି ଚଳାଇଥିବା ବେଳେ ଯବାନମାନେ ମଧ୍ୟ ତାହାର ପାଲଟା ଜବାବ ଦେଇଥିଲେ।
କିଛି ସମୟ ଗୁଳି ବିନିମୟ ହେବା ପରେ ଯବାନଙ୍କ ଗୁଳିର ସାମ୍ନା କରି ନ ପାରି ଛତ୍ରଭଙ୍ଗ ଦେଇଥିଲେ ନକ୍ସଲ । ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ବେଳେ ୨ ନକ୍ସଲଙ୍କ ଶବ ଜବତ କରିବା ସହ ବନ୍ଧୁକ,ପିସ୍ତଲ,ବିସ୍ଫୋରକ ସହ ବହୁ ସାମଗ୍ରୀ ଜବତ ହୋଇଛି।
Powered by Froala Editor