ରାଜସ୍ଥାନରେ ଜଟିଳ ହେବାରେ ଲାଗିଛି ରାଜନୈତିକ ସଙ୍କଟ, ଇସ୍ତଫା ଦେଲେ ୭୬ ବିଧାୟକ

ଜୟପୁର: ରାଜସ୍ଥାନରେ ଲାଗି ରହିଥିବା ରାଜନୈତିକ ସଙ୍କଟ ସମାଧାନ ହେବା ପରିବର୍ତ୍ତେ କ୍ରମଶଃ ଜଟିଳ ହେବାରେ ଲାଗିଛି । କନ୍ଦଳକୁ ପ୍ରଶମିତ କରିବା ପାଇଁ ଦିଲ୍ଲୀରୁ ଜୟପୁର ଗସ୍ତ କରିଥିବା ଦଳୀୟ ପର୍ୟ୍ୟବେକ୍ଷକ ଅଜୟ ମାକେନ୍ ଏବଂ ମଲ୍ଲିକାର୍ଜୁନ୍ ଖଡଗେଙ୍କ ହସ୍ତକ୍ଷେପ ପରେ ମଧ୍ୟ ସଙ୍କଟରେ କୌଣସି ସମାଧାନର ରାସ୍ତା ବାହାରି ପାରିନାହିଁ । ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟଙ୍କ ଗୋଷ୍ଠୀର ୭୬ ଜଣ ବିଧାୟକ ଇସ୍ତଫା ଦେଇଛନ୍ତି । ଗତକାଲି ଏହି ବିଧାୟକମାନେ ବାଚସ୍ପତି ସିପି ଜୋଶୀଙ୍କୁ ଭେଟି ସମୂହ ଇସ୍ତଫା ଦେଇଛନ୍ତି ।
ଗତକାଲି ଦଳର କେନ୍ଦ୍ରୀୟ ପର୍ୟ୍ୟବେକ୍ଷକ ଭାବେ ରାଜସ୍ଥାନ ଗସ୍ତ କରିଥିବା ମଲ୍ଲିକାର୍ଜୁନ ଖଡଗେ, ଅଜୟ ମାକେନ, ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟଙ୍କ ଉପସ୍ଥିତିରେ ଦଳୀୟ ବିଧାୟକଙ୍କ ବୈଠକ ଅନୁଷ୍ଠିତ ହୋଇଥିଲା । ତେବେ କୌଣସି ନିର୍ଦ୍ଦିଷ୍ଟ ନିଷ୍କର୍ସରେ ପହଞ୍ଚି ପାରିନଥିଲେ ବିଧାୟକମାନେ । ପରେ ସେମାନେ ଦଳର ବରିଷ୍ଠ ନେତା ଶାନ୍ତି ଧରୱାଲଙ୍କ ବାସଭବନରେ ଏକାଠି ହୋଇ ରୁଦ୍ଧଦ୍ବାର ଆଲୋଚନା କରିଥିଲେ । ସେଠାରୁ ବାହାରି ସେମାନେ ସିଧାସଳଖ ବାଚସ୍ପତି ସି.ପି ଜୋଶୀଙ୍କୁ ଭେଟି ସମୂହ ଇସ୍ତଫା ଦେଇଥିଲେ ।ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ କଂଗ୍ରେସ ହାଇକମାଣ୍ଡ ପଦ ପାଇଁ ନିର୍ବାଚନ ଲଢିବାକୁ ଯାଉଛନ୍ତି । ତେଣୁ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଅପସାରଣ କରି ଯୁବନେତା ସଚିନ ପାଇଲଟଙ୍କୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ଦେବା ପାଇଁ ଦଳ ଚାହୁଁଥିବା ବେଳେ ଗେହେଲଟ ଗୋଷ୍ଠୀର କିଛି ବିଧାୟକ ଏହାକୁ ପ୍ରଥମରୁ ବିରୋଧ କରି ଆସୁଛନ୍ତି । ଗତକାଲି ବୈଠକରେ ସଚିନ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦଳ ଦାୟିତ୍ବ ଦେବାକୁ ଚାହୁଁଥିବା ପ୍ରସଙ୍ଗ ଉଠିବା ପରେ ଏହାକୁ ବିରୋଧ କରି ଗେହେଲଟଙ୍କ ସମର୍ଥିତ ବିଧାୟକମାନେ ଇସ୍ତଫା ଦେଇଛନ୍ତି ।
Powered by Froala Editor