ବାପା ମା’କୁ ଦରମରା କରି ମାରିବା ପରେ ପୁଅ ଜାଳିଦେଲା ଘର

ଭୋଗରାଇ ଥାନା ଗୁଛିଦା ତେଘରୀ ପଞ୍ଚାୟତର ମଙ୍ଗରାଜପୁର ଗାଁ ରେ ଘଟିଛି ଅମାନବୀୟ ଘଟଣା । ବାପା ମା’କୁ ଦରମରା କରି ମାରିବା ପରେ ପୁଅ ଜାଳିଦେଇଛି ଘର । ଯେଉଁଥିରେ ଜଳିଯାଇଛି କର୍କଟ ପୀଡିତା ମା’ର ଚିକିତ୍ସା ପାଇଁ ଥିବା ୩୫ ହଜାର ଟଙ୍କା ।
ମଙ୍ଗରାଜପୁର ଗାଁର ସୁଧୀର ନାୟକ କର୍କଟ ରୋଗରେ ପିଡୀତ ପତ୍ନୀ ସ୍ନେହଲତା ସହ ରୁହନ୍ତି। ପୁଅ ଶ୍ରୀମନ୍ତ ଓରଫ କାଳିଆ ବାପା ମାଆଙ୍କୁ ବୃଦ୍ଧାବସ୍ଥାରେ ସାହାରା ହେବା ପରିବର୍ତ୍ତେ ତାଙ୍କ ପାଖରେ ନରହି କାନ୍ଥିଭଉଁରୀ ଗାଁରେ ରହେ। ସୋମବାର ସ୍ନେହଲତା ଭାତ ରାନ୍ଧୁଥିବା ସମୟରେ ଶ୍ରୀମନ୍ତ ଘରେ ପହଞ୍ଚି ମାଆଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଳଜ କରିବା ସହିତ ଘରୁ ବାହାରି ଯିବା ପାଇଁ ଧମକ ଦେଇ ମାରପିଟ୍ କରିଥିଲା। ଏହା ଦେଖି ବାପା ସୁଧୀର ବିରୋଧ କରିବାରୁ ତାଙ୍କୁ ମଧ୍ୟ ମାରପିଟ କରିବା ସହିତ ଗଳା ଚିପି ଧରି ଜୀବନରୁ ମାରିଦେବା ପାଇଁ ଉଦ୍ୟମ କରିଥିଲା। ମାଆ ସ୍ନେହଲତାର ଚିତ୍କାର ଶୁଣି ପଡୋଶୀ ମାନେ ସେଠାରେ ପହଞ୍ଚି ନୃଶଂସ ପୁଅ ଶ୍ରୀମନ୍ତ ହାତରୁ ତାଙ୍କ ବାପା ମାଆଙ୍କୁ ଉଦ୍ଧାର କରିଥିଲେ। ମାତ୍ର ଶ୍ରୀମନ୍ତ ପେଟ୍ରୋଲ ଘର ଉପରେ ଢାଳି ନିଆଁ ଲଗାଇ ଦେଇଥିଲା। ଏହାସହିତ ବାପା ମାଆଙ୍କୁ ମଧ୍ୟ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେବ ବୋଲି ଧମକ ଦେଇଥିଲା। ଘରେ ଲାଗିଥିବା ନିଆଁ ଏତେ ପ୍ରଖର ହୋଇଥିଲା ଯେ, ସ୍ନେହଲତାଙ୍କ ଚିକିତ୍ସା ପାଇଁ ଧାର କରଜ ଓ ବିଭିନ୍ନ ଲୋକଙ୍କ ପାଖରୁ ମାଗି ଯାଚି ସଂଗ୍ରହ କରି ରଖିଥିବା ନଗଦ ୩୫ ହଜାର ଟଙ୍କା ସହ ଘରର ସମସ୍ତ ଆସବାବପତ୍ର, ଗହମ, ଚାଉଳ, ସବୁ ଭସ୍ମୀଭୂତ ହୋଇଯାଇଥିଲା।
ଭୋଗରାଇ ପୁଲିସ ଶ୍ରୀମନ୍ତକୁ ଧରି ଥାନାକୁ ଆଣିଥିଲେ। ବାପା ସୁଧୀରଙ୍କ ଲିଖିତ ଅଭିଯୋଗ କ୍ରମେ ଭୋଗରାଇ ଥାନାରେ କେସ ନଂ ୧୫୩ /୨୨ ରେ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ପୁଅ ଶ୍ରୀମନ୍ତକୁ ଗିରଫ କରିଛି।
Powered by Froala Editor