ମ୍ୟାଗସେସେ ପୁରସ୍କାର ଗ୍ରହଣ କରିବେନି କେ. କେ. ଶୈଳଜା
କେରଳର ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ତଥା ବରିଷ୍ଠ ସିପିଆଇ (ଏମ) ନେତା କେ.କେ ଶୈଳଜା ସମ୍ମାନଜନକ ମ୍ୟାଗସେସେ ପୁରସ୍କାର ଗ୍ରହଣ କରିବାକୁ ମନା କରି ଦେଇଛନ୍ତି। ସେ କହିଛନ୍ତି, ମ୍ୟାଗସେସେ ପୁରସ୍କାର କମିଟି ତରଫରୁ ତାଙ୍କ ନିକଟକୁ ଏକ ଚିଠି ଆସିଛି। କିନ୍ତୁ ମୁଁ ଜଣେ ସିପିଆଇ(ଏମ୍)ର କେନ୍ଦ୍ରୀୟ କମିଟି ସଦସ୍ୟା।ଏନେଇ କମିଟି ସହ ଆଲୋଚନା କରିଥିଲି ଏବଂ ପୁରସ୍କାର ଗ୍ରହଣ ନ କରିବାକୁ ନିଷ୍ପତ୍ତି ନିଆଯାଇଛି।
ଶୈଳଜା କହିଛନ୍ତି ଯେ, ମ୍ୟାଗସେସେ ପୁରସ୍କାରକୁ ଏସୀୟ ସଂସ୍କରଣର ନୋବେଲ ପୁରସ୍କାର ସହ ତୁଳନା କରାଯାଉଛି। କେ.କେ ଶୈଳଜା ସରକାରଙ୍କ ଦ୍ୱାରା ଦିଆଯାଇଥିବା ଦାୟିତ୍ୱ ତୁଲାଉଥିଲେ। ତେଣୁ ସେ ବ୍ୟକ୍ତିଗତ ଭାବେ ଏଥିପାଇଁ ଶ୍ରେୟ ନେବା ଉଚିତ୍ ନୁହେଁ। ଏହା ଏକ ସାମୂହିକ ପ୍ରୟାସ ଥିଲା ବୋଲି ତାଙ୍କ ଦଳ ସିପିଆଇ(ଏମ୍) ବିଶ୍ୱାସ କରେ। ତେଣୁ ସେ ଏହି ପୁରସ୍ପାର ଗ୍ରହଣ କରିବେ ନାହିଁ ବୋଲି ଘୋଷଣା କରିଛନ୍ତି।
ସ୍ୱାସ୍ଥ୍ୟମନ୍ତ୍ରୀ ଭାବେ ତାଙ୍କ ଅବଦାନକୁ ଦୃଷ୍ଟିରେ ରଖି ତାଙ୍କୁ ୬୪ତମ ମ୍ୟାଗସେସେ ପୁରସ୍କାର ପାଇଁ ବିବେଚନା କରାଯାଇଥିଲା। ରାଜ୍ୟରେ ଯେତେବେଳେ ନିପା ଭାଇରସ ଏବଂ କୋଭିଡ ମହାମାରୀର ପ୍ରଭାବ ଥିଲା ତାକୁ ମୁକାବିଲା ପାଇଁ ଦୃଢ଼ ନେତୃତ୍ୱ ନେଇଥିଲେ ଶୈଳଜା। ନିପା ଏବଂ କରୋନା ପ୍ରଥମ ଏହି ଦକ୍ଷିଣ ରାଜ୍ୟରୁ ଚିହ୍ନଟ ହୋଇଥିଲା। ଏହାକୁ ମୁକାବିଲା କରିବାରେ ଶୈଳଜା ପ୍ରଭାବୀ ପଦକ୍ଷେପ ନେଇଥିଲେ।
Powered by Froala Editor