କୋରବେଭାକ୍ସକୁ କେନ୍ଦ୍ର ସରକାରଙ୍କ ମଞ୍ଜୁରୀ, ବୁଷ୍ଟର ଡୋଜ୍ ଭାବେ ଦିଆଯାଇପାରିବ
ବାୟୋଲଜିକାଲ-ଇ କୋଭିଡ-୧୯ଭେକ୍ସିନ୍ କୋରବେଭାକ୍ସକୁ କେନ୍ଦ୍ର ସରକାରଙ୍କ ମଞ୍ଜୁରୀ ମିଳିଛି। ଏହି ଭାକ୍ସିନକୁ ବୁଷ୍ଟର ଡୋଜ୍ ଭାବେ ଦିଆଯାଇପାରିବ। ପୂର୍ବରୁ କୋଭାକ୍ସିନ କିମ୍ବା କୋଭିଶିଲ୍ଡ ଟିକା ନେଇଥିବା ସାବାଳକମାନଙ୍କୁ କୋର୍ବେଭାକ୍ସ ପ୍ରିକଶନ ଡୋଜ୍ ଭାବେ ଦିଆଯାଇପାରିବ। ଦ୍ୱିତୀୟ ଡୋଜ୍ ନେବାର ୨୬ ସପ୍ତାହ କିମ୍ବା ୬ ମାସ ପରେ କୋର୍ବୋଭାକ୍ସ ବୁଷ୍ଟର ଡୋଜ୍ ନେଇପାରିବେ। ତେବେ ଭାରତରେ ପ୍ରଥମ ଥର ପ୍ରାଇମେରୀ ଭାକ୍ସିନେସନରେ ଦିଆଯାଇଥିବା ଟିକା ଡୋଜ ବଦଳେ ଅନ୍ୟ ଏକ ଟିକାକୁ ବୁଷ୍ଟରଡୋଜ ଭାବେ ମଞ୍ଜୁର କରାଯାଇଛି।
ଉଲ୍ଲେଖଯୋଗ୍ୟ ଯେ ଭାରତର ପ୍ରଥମ ସ୍ୱଦେଶୀ ଆରବିଡି ପ୍ରୋଟିନ ସବୟୁନିଟ୍ ‘କୋର୍ବେଭାକ୍ସ’ ଟିକାକୁ ଦେଶରେ ୧୨ରୁ ୧୪ ବର୍ଷର ପିଲାଙ୍କ ଟିକାକରଣରେ ଉପଯୋଗ କରାଯାଉଛି। ଏହି ଟିକାର ମଞ୍ଜୁରୀ ଲାଗି ଜୁଲାଇ ୨୦ ତାରିଖ ଦିନ ହୋଇଥିବା ବୈଠକରେ କୋଭିସିଲ୍ଡ ଅଥବା କୋଭାକ୍ସିନର ଦୁଇଟି ଡୋଜ ନେଇଥିବା ୧୮ରୁ ୮୦ ବର୍ଷ ବୟସ୍କଙ୍କ ଲୋକଙ୍କୁ କୋର୍ବେଭାକ୍ସ ଟିକା ତୃତୀୟ ଡୋଜ ଭାବେ ଦିଆଯାଇପାରିବ ବୋଲି କୁହାଯାଇଛି।
ଟିକାକରଣ ଉପରେ ଗଠିତ ନ୍ୟାଶନାଲ ଟେକ୍ନିକାଲ ଆଡଭାଇଜରି ଗ୍ରୁପ୍ (ଏନ୍ଟିଏଜିଆଇ)ର କୋଭିଡ୍ -୧୯ ଓ୍ବାର୍କିଂ ଗ୍ରୁପ୍ ଗତ ସପ୍ତାହରେ କୋର୍ବେଭାକ୍ସକୁ ୧୮ ବର୍ଷରୁ ଊର୍ଦ୍ଧ୍ୱ ଲୋକଙ୍କୁ ବୁଷ୍ଟର ଡୋଜ୍ ଭାବେ ମଞ୍ଜୁରୀ ଲାଗି ସୁପାରିସ କରିଥିଲେ।
Powered by Froala Editor