ମରାମତି ପାଇଁ ଭାରତର ବନ୍ଦରରେ ଆମେରିକାର ନୌସେନା ଜାହାଜ

ପ୍ରଥମ ଥର ପାଇଁ ଆମେରିକାର ନୌସେନା ଜାହାଜ ମରାମତି ଓ ଅନ୍ୟାନ୍ୟ ସେବା ପାଇଁ ଭାରତର ବନ୍ଦରରେ ରହିଛି। ରବିବାର ଚେନ୍ନାଇର କାଟୁପାଲ୍ଲୀ ଜାହାଜ କାରଖାନାରେ ଆମେରିକାର ଏହି ଜାହାଜ ପହଞ୍ଚିଛି।
ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ, ଆମେରିକା ନୌସେନାର ଏକ ଜାହାଜ ମରାମତି ପାଇଁ ଭାରତରେ ପହଞ୍ଚିଛି। ଜାହାଜଟି ‘ଲାରସେନ୍ ଏବଂ ଟୁବ୍ରୋ’ ର ଜାହାଜ କାରଖାନାରେ ପହଞ୍ଚିଛି ଏବଂ ଏହି ଜାହାଜ ଏଠାରେ ୧୧ ଦିନ ରହିବ । ଆମେରିକାର ନୌସେନା ଚେନ୍ନାଇ ସ୍ଥିତ କଟୁପାଲ୍ଲୀରେ ଥିବା ଏଲ୍ ଆଣ୍ଡ ଟି ର ଜାହାଜ କାରଖାନାକୁ ରକ୍ଷଣାବେକ୍ଷଣ ପାଇଁ ଚୁକ୍ତିନାମା ପ୍ରଦାନ କରିଥିଲା। ଏହି ଜାହାଜ ଭାରତ-ପ୍ରଶାନ୍ତ ମହାସାଗରରେ ଯୁଦ୍ଧ ଜାହାଜ କାର୍ଯ୍ୟରେ ଆମେରିକାର ନୌସେନାକୁ ଗୁରୁତ୍ୱପୂର୍ଣ୍ଣ ସହାୟତା ଯୋଗାଇଥାଏ । ଏହି ପଦକ୍ଷେପ ଭାରତ-ଆମେରିକାର ରଣନୀତିକ ଭାଗିଦାରୀରେ ଏକ ନୂତନ ଦିଗ ଯୋଡିଛି।
ଭାରତ ଏବଂ ଆମେରିକାର ଏହି ବନ୍ଧୁତା ଖୁବ ଗୁରୁତ୍ୱପୂର୍ଣ୍ଣ ରହିଛି କାରଣ ପୂର୍ବ ଲଦାଖ ଉପରେ ଭାରତ ଓ ଚୀନ୍ ଦୁଇ ବର୍ଷ ଧରି ମୁହାଁମୁହିଁ ହୋଇରହିଛନ୍ତି । ସେପଟେ ଚାଇନା ମଧ୍ୟ ତାଇୱାନକୁ ନେଇ ଆମେରିକା ଉପରେ ଅସନ୍ତୋଷ ପ୍ରକାଶ କରିଛି। ଏଭଳି ପରିସ୍ଥିତିରେ ଆମେରିକା ଏବଂ ଭାରତ ମଧ୍ୟରେ ଏହି ବନ୍ଧୁତା ଚୀନ୍ ପାଇଁ ଆଉ ଏକ ବଡ଼ ଝଟକା ହୋଇପାରେ।
Powered by Froala Editor