ମିସ୍ ୟୁନିର୍ଭସ ହରନାଜ୍ କୌର ସାନ୍ଧୁଙ୍କ ନାଁରେ ମାମଲା ରୁଜୁ କଲେ ଉପାସନା, କାହିଁକି ଜାଣନ୍ତୁ...

ମିସ୍ ୟୁନିର୍ଭସ ମୁକୁଟ ଜିଣିଥିବା ହରନାଜ କୌର ସନ୍ଧୁ ନିଜର ପ୍ରଥମ ପଞ୍ଜାବୀ ଚଳଚ୍ଚିତ୍ର ନେଇ ବିବାଦରେ ଫସିଯାଇଛନ୍ତି। ତାଙ୍କ ବିରୋଧରେ ରୁଜୁ ହୋଇଛି ମାମଲା। ଅଭିନେତ୍ରୀ ତଥା କେମଡିଆନ୍ ଉପାସନା ସିଂହ ତାଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ଏଥିସହ ସେ କୋର୍ଟର ଦ୍ୱାରସ୍ଥ ମଧ୍ୟ ହୋଇଛନ୍ତି। ଉପାସନା ଏ ନେଇ ଚଣ୍ଡୀଗଡ଼ କୋର୍ଟରେ ମକଦ୍ଦମା ଦାୟର କରିଛନ୍ତି।
ଉପାସନାଙ୍କ କହିବା କଥା ଯେ ସେ ତାଙ୍କ ପୁଅଙ୍କ ଅଭିନୟ କ୍ୟାରିୟର୍ ଆରମ୍ଭ କରିବା ପାଇଁ ଉପରୋକ୍ତ ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି, ଯେଉଁଥିରେ ହରନାଜ ହେଉଛନ୍ତି ମୁଖ୍ୟ ଅଭିନେତ୍ରୀ। ଚଳଚ୍ଚିତ୍ରର ପ୍ରଚାରପ୍ରସାର ପାଇଁ ସେ ହରନାଜଙ୍କ ସହିତ ଏକ ଚୁକ୍ତି ସ୍ବାକ୍ଷର କରିଥିଲେ। ଫିଲ୍ମଟି ଗତ ମେ’ ମାସରେ ରିଲିଜ ହେବାର ଥିଲା। କିନ୍ତୁ ହରନାଜ ଫିଲ୍ମର ପ୍ରମୋସନ ପାଇଁ ତାଙ୍କୁ ସମୟ ଦେଇନଥିଲେ। ଏଥିସହ ତାଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ସୁଦ୍ଧା ତା’ର କୌଣସି ଉତ୍ତର ଦେଇନଥିଲେ । ଅଭିନେତ୍ରୀ ଉପାସନା ହରନାଜଙ୍କୁ ଫୋନ, ମେସେଜ ଓ ମେଲ୍ ମଧ୍ୟ କରିଥିଲେ। କିନ୍ତୁ ହରନାଜଙ୍କ ତରଫରୁ ଏହାର କୌଣସି ଉତ୍ତର ମିଳିନଥିଲା ବୋଲି ଅଭିଯୋଗ ହୋଇଛି।
ଏହାକୁ ନେଇ କମେଡିଆନ୍ ଉପାସନା ଏବେ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ଚୁକ୍ତି ଅନୁଯାୟୀ ହରନାଜ ୨୫ ଦିନ ଯାଏଁ ଫିଲ୍ମର ପ୍ରମୋସନ କରିଥା’ନ୍ତେ। କିନ୍ତୁ ଏବେ ସେ ଫିଲ୍ମ ପାଇଁ କେବଳ ୫ ଦିନ ମଧ୍ୟ ଯଦି ପ୍ରମୋସନ କରନ୍ତି ତେବେ ଭଲ ହେବ ବୋଲି ଅଭିନେତ୍ରୀ କହିଛନ୍ତି।
ଉଲ୍ଲେଖଯୋଗ୍ୟ, ମିସ୍ ୟୁନିର୍ଭସ ହରନାଜ କୌର ସାନ୍ଧୁଙ୍କ ଏହା ହେଉଛି ଡେବ୍ୟୁ ଫିଲ୍ମ। ଏହି ଫିଲ୍ମ ଜରିଆରେ ସେ ଅଭିନୟ ଜଗତରେ ପାଦ ରଖିବାକୁ ଯାଉଛନ୍ତି।
Powered by Froala Editor