ଏଣିକି ଦିନରାତି ୨୪ ଘଣ୍ଟା ଉଡ଼ିପାରିବ ଜାତୀୟ ପତାକା
ନୂଆଦିଲ୍ଲୀ: କେନ୍ଦ୍ର ସରକାର ଦେଶର ପତାକା ସଂହିତାରେ ବଡ଼ ପରିବର୍ତ୍ତନ କରିଛନ୍ତି । ଜାତୀୟ ପତାକା ଏଣିକି ଦିନରାତି ୨୪ ଘଣ୍ଟା ଉଡ଼ିପାରିବ। ଏନେଇ ସମସ୍ତ କେନ୍ଦ୍ରୀୟ ମନ୍ତ୍ରାଳୟ ଏବଂ ବିଭାଗକୁ ଚିଠି ଲେଖିଛନ୍ତି ସ୍ବରାଷ୍ଟ୍ର ସଚିବ ଅଜୟ ଭଲ୍ଲା ।
ଦେଶ ସ୍ବାଧୀନ ହେବାର ୭୫ ବର୍ଷ ଉପଲକ୍ଷେ ଆଜାଦୀ କା ଅମୃତ ମହୋତ୍ସବ ପାଳନର ଏହା ଅଂଶବିଶେଷ । କେନ୍ଦ୍ର ସରକାର ଅଗଷ୍ଟ ୧୩ରୁ ୧୫ ପର୍ୟ୍ୟନ୍ତ ହର୍ ଘର୍ ତିରଙ୍ଗା ଅଭିଯାନରେ ସବୁ ଘରେ ଜାତୀୟ ପତାକା ଉଡ଼ାଇବା ପାଇଁ ଆହ୍ବାନ ଦେଇଛନ୍ତି । ଅଜୟ ଭଲ୍ଲା କହିଛନ୍ତି ଯେ,‘ଜାତୀୟ ପତାକା ପ୍ରଦର୍ଶନ, ଉଡାଇବା ୨୦୦୨ ଏବଂ ରାଷ୍ଟ୍ରୀୟ ଗୌରବ ଅପମାନ ନିରୋଧ ଆଇନ ୧୯୭୧ ଅଧିନରେ ଆସୁଛି । ପତାକା ସଂହିତାରେ ୨୦୨୨ ଜୁଲାଇ ୨୦ର ଏକ ନିର୍ଦ୍ଦେଶ ଜରିଆରେ ସଂଶୋଧନ କରାଯାଇଛି ।’ଜାତୀୟ ପତାକା ଏଣିକି ଦିନରାତି ୨୪ ଘଣ୍ଟା ଉଡ଼ିପାରିବ । ଏଣିକି ଭାରତୀୟ ଫ୍ଲାଗ କୋଡ ୨୦୦୨ର ଭାଗ-୨ର ୨.୨ ଅନୁଚ୍ଛେଦର ଧାରା(୧୧) ଅନୁସାରେ, ଯେଉଁଠାରେ ପତାକା ଖୋଲା ପ୍ରଦର୍ଶିତ ହୋଇଥାଏ କିମ୍ବା ନାଗରିକଙ୍କ ଘରେ ପ୍ରଦର୍ଶନ କରାଯାଏ, ତାହା ଦିନରାତି ଉଡିପାରେ । ଏହାସହ ବର୍ତ୍ତମାନ ମେସିନ ଏବଂ ପଲିଷ୍ଟରରେ ତିଆରି ତ୍ରିରଙ୍ଗା ମଧ୍ୟ ଉଡାଇପାରିବେ । ଏହା ପୂର୍ବରୁ କେବଳ ସୂର୍ୟ୍ୟୋଦୟରୁ ସୂର୍ୟ୍ୟାସ୍ତ ଯାଏଁ ତ୍ରିରଙ୍ଗାକୁ ଉଡାଇବାକୁ ଅନୁମତି ଥିଲା ।
Powered by Froala Editor