ଆଜି ଶପଥ ନେବେ ବିଜେଡିର ୩ ନବ ନିର୍ବାଚିତ ସାଂସଦ

ନୂଆଦିଲ୍ଲୀ: ଆଜି ବିଜେଡିର ୩ ଜଣ ନବ ନିର୍ବାଚିତ ରାଜ୍ୟସଭା ସାଂସଦ ଗୃହର ସଦସ୍ୟ ଭାବେ ଶପଥ ଗ୍ରହଣ କରିବେ । ଏହି ସାଂସଦମାନେ ହେଲେ ସସ୍ମିତ ପାତ୍ର, ମାନସ ରଞ୍ଜନ ମଙ୍ଗରାଜ ଓ ସୁଲତା ଦେଓ । ଶପଥ ଗ୍ରହଣ କାର୍ୟ୍ୟକ୍ରମ ରାଜ୍ୟସଭା ପ୍ରକୋଷ୍ଠରେ ଅନୁଷ୍ଠିତ ହେବ ।
ରାଜ୍ୟସଭା ଅଧ୍ୟକ୍ଷ ଏମ୍. ଭେଙ୍କୟା ନାଇଡୁ ଶୁକ୍ରବାର ପୂର୍ବାହ୍ନ ୧୧ଟା ବେଳେ ଏହି ନବ ନିର୍ବାଚିତ ସାଂସଦମାନଙ୍କୁ ଶପଥ ଗ୍ରହଣ କରାଇବେ । ଓଡ଼ିଶା ଛଡ଼ା ଅନ୍ୟ କେତେକ ରାଜ୍ୟର ନବ ନିର୍ବାଚିତ ରାଜ୍ୟସଭା ସାଂସଦମାନେ ମଧ୍ୟ ଶପଥ ନେବେ ।
ମାନସ ମଙ୍ଗରାଜ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶ ଦାତା ଭାବେ କାର୍ୟ୍ୟ କରୁଥିଲେ । ପରେ ବିଜେଡି ପକ୍ଷରୁ ରାଜ୍ୟସଭା ସାଂସଦ ଭାବେ ତାଙ୍କୁ ମନୋନୀତ ହୋଇଥିଲେ । ବିରୋଧୀ କୌଣସି ପ୍ରାର୍ଥୀ ଦେଇନଥିବାରୁ ସେ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିଲେ । ଆଜି ସେ ଶପଥ ନେବେ । ସସ୍ମିତ ପାତ୍ର ରାଜ୍ୟସଭା ସାଂସଦ ଭାବେ ରିପିଟ ହୋଇଥିବା ବେଳେ ମାନସ ମଙ୍ଗରାଜ ଏବଂ ସୁଲତା ଦେଓ ପ୍ରଥମ ଥର ପାଇଁ ରାଜ୍ୟସଭାକୁ ଯାଇଛନ୍ତି ।
ଏହା ପୂର୍ବରୁ ସିଏମସି ମେୟର ନିର୍ବାଚନ ପାଇଁ ରାଜ୍ୟସଭାରୁ ଇସ୍ତଫା ଦେଇଥିବା ସୁବାସ ସିଂଙ୍କ ସ୍ଥାନରେ ନିର୍ବାଚିତ ହୋଇଥିବା ନିରଞ୍ଜନ ବିଶି ଶପଥ ଗ୍ରହଣ କରିସାରିଛନ୍ତି ।
Powered by Froala Editor