ଜ୍ୟାକଲିନ୍ଙ୍କୁ ପୁଣି ଇଡିର ଜେରା
ମୁମ୍ବାଇ: ଅଡ଼ୁଆରେ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ । ଠକ ସୁକେଶ ଚନ୍ଦ୍ରଶେଖର ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ପୁଣି ଜ୍ୟାକଲିନ୍ଙ୍କୁ ଜେରା କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) । ତାଙ୍କୁ ପାଖାପାଖି ୮ ଘଣ୍ଟା କାଳ ପଚରାଉଚରା କରାଯାଇଥିବା ଇଡି ପକ୍ଷରୁ ସୂଚନା ଦିଆଯାଇଛି । ସୁକେଶଙ୍କ ସହ କେବେଠୁ ସମ୍ପର୍କ ? କେଉଁ କାରଣରୁ ସେ ଉପହାର ଦେଉଥିଲେ ? କ’ଣ କ’ଣି ଗିଫ୍ଟ ଦେଇଛନ୍ତି, ଏମିତି ଅନେକ କିଛି ପ୍ରଶ୍ନ ପଚରା ଯାଇଥିବା ଇଡିର ଜଣେ ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ମାମଲାଟି ଏବେ ତଦନ୍ତ ପରିସରଭୁକ୍ତ ଥିବାରୁ ଏନେଇ ସେ ବିଶେଷ ତଥ୍ୟ ଦେବାକୁ ମନା କରିଛନ୍ତି ।
ରିପୋର୍ଟ ଅନୁଯାୟୀ, ସୁକେଶର କିଛି ଆକାଉଣ୍ଟ ବିଷୟରେ ଜ୍ୟାକଲିନ୍ ଅବଗତ ଥିଲେ । ସୁକେଶ ଜ୍ୟାକଲିନଙ୍କୁ କୋଟି ଟଙ୍କା ମୂଲ୍ୟର ଉପହାର ଦେଇଥିଲେ । ଏପ୍ରିଲରେ, ଅନୁସନ୍ଧାନକାରୀ ଟିମ୍ ଜ୍ୟାକଲିନଙ୍କ ୭.୨୭ କୋଟି ଟଙ୍କା ସମ୍ପତ୍ତିକୁ ସିଜ୍ କରିଥିଲା ।
ଗତ ବର୍ଷ ଅଗଷ୍ଟ ଏବଂ ଅକ୍ଟୋବରରେ ରେକର୍ଡ କରିଥିବା ଜ୍ୟାକଲିନ ତାଙ୍କ ବୟାନରେ ଇଡିଙ୍କୁ କହିଛନ୍ତି’, ସେ ଚନ୍ଦ୍ରଶେଖରଙ୍କ ଠାରୁ ଗୁଚି, ଚାନେଲ, ତିନୋଟି ଡିଜାଇନର୍ ବ୍ୟାଗ୍, ଜିମ୍ରେ ପିନ୍ଧିବା ପାଇଁ ଦୁଇଟି ଗୁଚି ଡ୍ରେସ୍, ଗୋଟିଏ ଯୋଡି ଲୁଇ ଭିଟନ୍ ଜୋତା, ଦୁଇଟି ହୀରା କାନଫୁଲ, ମଲ୍ଟି ରଙ୍ଗର ପଥର କଙ୍କଣ ଏବଂ ଦୁଇଟି ହର୍ମେସ୍ ବ୍ରେସଲେଟ୍ ଉପହାର ସ୍ୱରୂପ ଗ୍ରହଣ କରିଥିଲେ । ସୁକେଶ ତାଙ୍କୁ ଏକ ମିନି କପୁର୍ କାର୍ ମଧ୍ୟ ଉପହାର ରୂପେ ଦେଇଥିଲେ । କିନ୍ତୁ ସେ ତାକୁ ଫେରାଇ ଦେଇଥିଲେ ।
ସୂଚନାଯୋଗ୍ୟ, ସୁକେଶ ଚନ୍ଦ୍ରଶେଖର ଲୋକମାନଙ୍କୁ ବିଭିନ୍ନ ଉପାୟରେ ଠକି ଥିଲେ । ପାଖାପାଖି ୨୦୦ କୋଟି ଟଙ୍କା ସେ ହଡ଼ପ କରିନେଇଥିଲେ । ନକଲି ଫୋନ୍ ନମ୍ବର ବ୍ୟବହାର କରି ସେ ଏପରି କାରନାମା କରୁଥିବା ଜଣାପଡ଼ିଥିଲା । ଏହି ମାମଲାରେ ସୁକେଶ ଓ ତାଙ୍କ ପତ୍ନୀ ଲୀନା ମାରିଆ ପଲ୍ଙ୍କୁ ୨୦୨୧ ସେପ୍ଟେମ୍ବର ମାସରେ ଦିଲ୍ଲୀ ପୁଲିସ୍ ଗିରଫ କରିଥିଲା । ସେବେଠୁ ସେ ଜେଲ୍ରେ ଥିବା ବେଳେ ଏହି ମାମଲା ଏବେ ଇଡି ପରିସରଭୁକ୍ତ ଥିବା ଜଣାପଡ଼ିଛି ।
Powered by Froala Editor