‘ଅଗ୍ନିପଥ’କୁ ବିରୋଧ କରି ଟ୍ରେନ୍ ଜାଳିଦେଲେ ବିକ୍ଷୋଭକାରୀ
ସେନା ବାହିନୀରେ ନିଯୁକ୍ତି ଦେବା ପାଇଁ କେନ୍ଦ୍ର ସରକାର ଆରମ୍ଭ କରିଥିବା ଶର୍ଟ ଟର୍ମ ଅଗ୍ନିପଥ ଯୋଜନାକୁ ତୀବ୍ର ବିରୋଧର ସମ୍ମୁଖୀନ ହେବାକୁ ପଡ଼ୁଛି। ବିହାରରେ ଉତ୍ତ୍ୟକ୍ତ ପ୍ରତିବାଦକାରୀମାନେ ଭଭୁଆ ରୋଡ୍ ରେଳ ଷ୍ଟେସନ୍ରେ ଇଣ୍ଟର୍ସିଟି ଏକ୍ସପ୍ରେସ୍ର ଝରକା କାଚକୁ ପିଟି ଭାଙ୍ଗି ପକାଇବା ସହ ଗୋଟାଏ ବଗିରେ ନିଆଁ ଲଗାଇ ଦେଇଛନ୍ତି।
‘ଇଣ୍ଡିଆନ୍ ଆର୍ମି ଲଭର୍ସ’ ଲେଖାଥିବା ବ୍ୟାନର୍ ଧରି ସେମାନେ ନୂଆ ନିଯୁକ୍ତି ଯୋଜନାକୁ ପ୍ରତ୍ୟାହାର କରିବା ଲାଗି ସ୍ଲୋଗାନ୍ ଦେଉଛନ୍ତି ପ୍ରତିବାଦକାରୀ। ରେଳ ଧାରଣା ଉପରେ ଆସବାବ୍ପତ୍ର ପକାଇ ପ୍ରତିବାଦକାରୀମାନେ ଲଗାଇ ଥିବା ନିଆଁ ଲିଭାଇବା ଲାଗି ରେଳବାଇ କର୍ମଚାରୀମାନେ ‘ଫାୟାର୍ ଏକ୍ଷ୍ଟିଙ୍ଗୁଇସର୍’ ବ୍ୟବହାର କରୁଥିବା ଦୃଶ୍ୟ ଭିଡିଓରେ ଦେଖାଯାଉଛି। ଆରା ରେଳବାଇ ଷ୍ଟେସନ୍ରେ ପୁଲିସ ଉପରକୁ ଟେକାପଥର ଫିଙ୍ଗିବାରୁ ବିପୁଳ ସଂଖ୍ୟକ ପ୍ରତିବାଦକାରୀଙ୍କୁ ଘଉଡ଼ାଇବା ନିମନ୍ତେ ପୁଲିସ ଲୁହବୁହା ବାଷ୍ପ ପ୍ରୟୋଗ କରିଥିଲା।
ସୂଚନାଯୋଗ୍ୟ ଯେ, ଏହି ଯୋଜନାରେ ଯୁବବର୍ଗଙ୍କୁ ମାତ୍ର ୪ ବର୍ଷ ପାଇଁ ଚୁକ୍ତିଭିତ୍ତିକ ନିଯୁକ୍ତି ମିଳିବ। ସରକାର କହିଛନ୍ତି, ଅଗ୍ନିବୀର ଭାବେ କାମ କରିଥିବା ଯୁବକମାନେ ଅବ୍ୟାହତି ପାଇବା ପରେ ସେମାନଙ୍କୁ ଆର୍ଥିକ ପ୍ୟାକେଜ ଓ ବ୍ୟାଙ୍କରୁ ଋଣ ଯୋଗାଇ ଦିଆଯିବ। ଏହାଦ୍ୱାରା ସେମାନେ ନୂଆ ଉଦ୍ୟେଗ ଆରମ୍ଭ କରିପାରିବେ। ଯେଉଁମାନେ ଆଗକୁ ପାଠ ପଢ଼ିବାକୁ ଚାହିଁବେ, ସେମାନଙ୍କୁ ଦ୍ୱାଦଶ ଶ୍ରେଣୀର ପ୍ରମାଣ ପତ୍ର ମିଳିବ।
ଯେଉଁମାନେ ଦରମା ନେଇ ଚାକିରି କରିବାକୁ ଆଗ୍ରହ ଦେଖାଇବେ, ସେମାନଙ୍କୁ କେନ୍ଦ୍ରୀୟ ଆର୍ମଡ ଫୋର୍ସ ଓ ରାଜ୍ୟ ପୁଲିସ୍ ବିଭାଗରେ ଗୁରୁତ୍ୱ ଦିଆଯିବ। ବିଭିନ୍ନ କ୍ଷେତ୍ରରେ ଅଗ୍ନିବୀରଙ୍କୁ ଚାକିରି ସମୟରେ ଅଗ୍ରାଧିକାର ଦିଆଯିବ ବୋଲି ସରକାର କହିଛନ୍ତି। ତେଣୁ ଏହାପରେ ନିଜ ଭବିଷ୍ୟତକୁ ନେଇ ଚିନ୍ତାରେ ଥିବା ଆଶାୟୀମାନେ ବିହାର ଠାରୁ ଆରମ୍ଭ କରି ଉତ୍ତର ପ୍ରଦେଶରେ ପ୍ରବଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।
Powered by Froala Editor