୨୦୮୨ କୋଟିର ୧୧ ପ୍ରକଳ୍ପକୁ ଅନୁମୋଦନ

ଭୁବନେଶ୍ବର: ମୁଖ୍ୟ ଶାସନ ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ସିଙ୍ଗିଲ ୱିଣ୍ଡୋର ଗୁରୁତ୍ୱପୂର୍ଣ୍ଣ ବୈଠକରେ ୨୦୮୨ କୋଟିର ୧୧ଟି ପ୍ରକଳ୍ପକୁ ଅନୁମୋଦନ କରାଯାଇଛି । ଏହି ଶିଳ୍ପାନୁଷ୍ଠାନ ପ୍ରତିଷ୍ଠା ହେଲେ ୩୬୧୨ ଜଣଙ୍କ ଲାଗି ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ବ୍ୟବସାୟ ଅନୁକୁଳ ବାତାବରଣ, ପ୍ରଗତିଶୀଳ ଶିଳ୍ପ ନୀତି ଓ ସ୍ଵଚ୍ଛ ପ୍ରଶାସନିକ ବ୍ୟବସ୍ଥା ଯୋଗୁ ଓଡ଼ିଶା ନୂଆ ପୁଞ୍ଜିନିବେଶ ପ୍ରସ୍ତାବ ଆକର୍ଷିତ କରିବାରେ ଆଗୁଆ ରାଜ୍ୟ ହୋଇ ରହିଛି ।
ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସିଙ୍ଗିଲ୍ ୱିଣ୍ଡୋ କମିଟି ବୈଠକରେ ୧୧ ଟି ନୂତନ ପୁଞ୍ଜିନିବେଶ ପ୍ରକଳ୍ପକୁ ନିତୀଗତ ଅନୁମୋଦନ ଦିଆଯାଇଛି । ଏହି ସବୁ ପ୍ରକଳ୍ପ ମାଧ୍ୟମରେ ୨୦୮୨.୧୭ କୋଟି ଟଙ୍କାର ନୂଆ ପୁଞ୍ଜିନିବେଶ ହେବା ସହ ୩୬୧୨ ଜଣଙ୍କ ନିମନ୍ତେ ପ୍ରତକ୍ଷ୍ୟ ନିଯୁକ୍ତି ସୁଯୋଗ ସୃଷ୍ଟିହେବ । ଲୋକସେବା ଭବନରୁ ଡ଼ିଜିଟାଲ ମୋଡରେ ଅନୁଷ୍ଠିତ ଏହି ବୈଠକରେ ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା ପ୍ରକଳ୍ପ ଗୁଡିକର ବୈଷୟିକ, ଆର୍ଥିକ ଏବଂ ଭିତ୍ତିଭୂମି ସଂପର୍କିତ ବିଷୟ ଉପସ୍ଥାପନ କରିଛନ୍ତି । ପ୍ରକଳ୍ପ ଗୁଡିକ ମୁଖ୍ୟତଃ ପର୍ୟ୍ୟଟନ, ଷ୍ଟିଲ୍ ଡ଼ାଉନଷ୍ଟ୍ରିମ୍, ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଏବଂ ମାନୁଫାକ୍ଚରିଂ ସେକ୍ଟର ଅନ୍ତର୍ଭୁକ୍ତ ।ଏସବୁ ପ୍ରକଳ୍ପ ରାଜ୍ୟର ବିଭିନ୍ନ ଅଂଚଳରେ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହ ଆର୍ଥିକ ଅନ୍ତର୍ଭୁକ୍ତିକରଣ ବୃଦ୍ଧିରେ ସହାୟକ ହେବ । ପ୍ରକଳ୍ପ ଗୁଡିକୁ ନୀତିଗତ ଅନୁମୋଦନ ଦେଇ ସେଗୁଡିକର ତ୍ଵରିତ କ୍ଷେତ୍ରାନ୍ଵୟନ ଉପରେ ମୁଖ୍ୟ ଶାସନ ସଚିବ ଗୁରୁତ୍ବ ଆରୋପ କରିଛନ୍ତି । ଏଥି ପାଇଁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବା ପାଇଁ ସେ ସଂପୃକ୍ତ ବିଭାଗମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବିଶ୍ବ ପ୍ରସିଦ୍ଧ ଚିଲିକା ଲେକ୍ ନିକଟରେ ଥିବା ଦ୍ବୀପରେ ପର୍ୟ୍ୟଟନ ସୁବିଧା ବିକାଶ ନିମନ୍ତେ ଘରୋଇ ପୁଞ୍ଜିନିବେଶକୁ ପ୍ରୋତ୍ସାହିତ କରିବା ପାଇଁ ମଧ୍ୟ ମୁଖ୍ୟ ଶାସନ ସଚିବ ପର୍ୟ୍ୟଟନ ବିଭାଗ, ଇଡ଼୍କୋ ଏବଂ ଇପିକଲ୍ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
Powered by Froala Editor