ଆଜି ‘ୱାର୍ଲ୍ଡ ନୋ ଟବାକୋ ଡେ଼’
ଭୁବନେଶ୍ୱର: ତେଜରାତି ଠାରୁ ଆରମ୍ଭ କରି ପାନ ଦୋକାନ ସବୁଠି ଝୁଲୁଛି ମାଳମାଳ ଗୁଟ୍ଖା । ବେଧଡ଼କ ଚାଲିଛି ବିକ୍ରି । ଗୁଟଖା ବିକ୍ରି ଉପରେ ବାରଣ ଥିଲେ ବି କାମରେ ଆସୁନି ଆଇନ । ନାଲି ଫିତା ତଳେ ବନ୍ଧା ପଡ଼ିଛି କୋଟପା ଟବାକୋ ଆଇନ । ସବୁ ନିୟମକୁ ଦଳି ମକଚି ବେପାର ଚାଲିଛି । ଅପର ପକ୍ଷେ ବଢ଼ିଚାଲିଛି ମୁଖ ଗହ୍ୱର କର୍କଟ । ମେ’୩୧ ତାରିଖକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ‘ୱାର୍ଲ୍ଡ ନୋ ଟବାକୋ ଡେ଼’ ଭାବେ ପାଳନ କରିବାକୁ ପରାମର୍ଶ ଦେଇଛି । ହେଲେ ଏହା କେବଳ ଦିବସ ପାଳନ ଭାବରେ ସୀମିତହୋଇ ରହିଛି ।
ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶାଳୟ ଏନସିଡ଼ି ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଡ଼ାକ୍ତର ସୁଶାନ୍ତ କୁମାର ଦାସ କହିଛନ୍ତି, ଭାରତରେ ବର୍ଷକୁ ୮ଲକ୍ଷ ଲୋକ କର୍କଟ ରୋଗରେ ମୃତ୍ୟୁବରଣ କରୁଛନ୍ତି । ଓଡ଼ିଶାରେ ଏହି ମୃତ୍ୟୁ ସଂଖ୍ୟା ୩୭ ହଜାର । ରାଜ୍ୟରେ ବର୍ତ୍ତମାନ ମୁଖ ଗହ୍ୱର କର୍କଟ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଯାହାକି ଚିନ୍ତାଜନକ ।
ସେଥିପାଇଁ ‘ ୱାର୍ଲ୍ଡ ନୋ ଟବାକୋ ଡେ଼’ ଅବସରରେ ରାଜ୍ୟ ସରକାର ଏକ ଅଭିନବ ଉପାୟ ବାହାର କରିଛନ୍ତି । ପିଲାମାନେ ତମାଖୁ ଖାଇ ନିଶାଖୋ ପାଲଟୁଛନ୍ତି । ତେଣୁ ସେମାନଙ୍କୁ ନିଶାଠାରୁ ଦୂରେଇ ରଖିବା ଲାଗି ବଡ଼ ପଦକ୍ଷେପ ଆରମ୍ଭ ହେବ । ମେ ୩୧ ତାରିଖ ମଙ୍ଗଳବାରଠାରୁ ସରକାରୀ ଓ ବେସରକାରୀ ସ୍କୁଲରେ ପ୍ରାର୍ଥନା ସଭାରେ ତମାଖୁ ସେବନରୁ ଦୂରେଇ ରହିବା ଉପରେ ଛାତ୍ରଛାତ୍ରୀଙ୍କୁ ଶପଥ ପାଠ କରାଯିବ ।
Powered by Froala Editor