ସୁରକ୍ଷା ହଟିବା ପରେ ସିଦ୍ଧୁ ମୋସେୱାଲାଙ୍କୁ ହତ୍ୟା
ପଞ୍ଜାବୀ ଗାୟକ ସିଦ୍ଧୁ ମୋସେୱାଲାଙ୍କୁ ମାନସାଗ୍ରାମରେ କେତେକ ଅଜଣା ଦୁର୍ବୃତ୍ତ ଗୁଳି କରି ହତ୍ୟା କରିଛନ୍ତି। ସିଦ୍ଧୁ ମୋସେୱାଲାଙ୍କ ସହ ୪୨୪ ଜଣଙ୍କ ସୁରକ୍ଷା ବ୍ୟବସ୍ଥା ପ୍ରତ୍ୟାହାର କରିବାର ଗୋଟିଏ ଦିନ ପରେ ଏହା ଘଟଣା ଘଟିଛି। ଗୁଳି ମାଡ଼ ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଥିଲା। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।
ଏହି ଗୁଳିକାଣ୍ଡରେ ଅନ୍ୟ ତିନି ଜଣ ଆହତ ହୋଇଛନ୍ତି। ଆହତ ତିନି ଜଣଙ୍କୁ ମାନସା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସିଦ୍ଧୁ ମୋସେୱାଲା ଏବଂ ତାଙ୍କର ଦୁଇ ବନ୍ଧୁ ପଞ୍ଜାବର ନିଜ ଗ୍ରାମ ମାନସା ଅଭିମୁଖେ ଯାଉଥିବାବେଳେ ଏହି ଆକ୍ରମଣ ହୋଇଥିଲା।
ଗତ ବର୍ଷ ନଭେମ୍ବରରେ ମୋସେୱାଲା କଂଗ୍ରେସରେ ଯୋଗ ଦେଇଥିଲେ। ମୋସେୱାଲା କଂଗ୍ରେସ ଟିକେଟରେ ମାନସାରୁ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ତାଙ୍କୁ ଆମ୍ ଆଦମୀ ପାର୍ଟିର ଡକ୍ଟର ବିଜୟ ସିଙ୍ଗଲା ପରାସ୍ତ କରିଥିଲେ। ତେବେ ଦୁର୍ନୀତି ଅଭିଯୋଗରେ ବିଜୟ ସିଙ୍ଗଲାଙ୍କୁ ନିକଟରେ ମନ୍ତ୍ରିମଣ୍ଡଳରୁ ଆପ ସରକାର ବରଖାସ୍ତ କରିଛନ୍ତି। ଗତ ମାସରେ ସିଦ୍ଧୁ ମୋସୱାଲା 'ସ୍କାପଗୋଟ୍' ନାମରେ ଏକ ଗୀତ ରିଲିଜ୍ ହୋଇଥିଲା। ଏହି ଗୀତରେ ସେ ଆମ୍ ଆଦମୀ ପାର୍ଟି ସମର୍ଥକଙ୍କୁ ଟାର୍ଗେଟ କରିଥିଲେ। ଯାହାକୁ ନେଇ ବିବାଦ ଉପୁଜିଥିଲା। ଏହି ଗୀତରେ ସେ ଆପ୍ ସମର୍ଥକଙ୍କୁ ଦେଶଦ୍ରୋହୀ ଆକ୍ଷେପ କରିଥିବା ଅଭିଯୋଗ ହୋଇଥିଲା।
ସୂଚନା ଅନୁଯାୟୀ, ଶୁଭଦୀପ ସିଂ ସିଦ୍ଧୁ ପଞ୍ଜାବୀ କଣ୍ଠଶିଳ୍ପୀ ଭାବରେ ସିଦ୍ଧୁ ମୋସେୱାଲା ନାଁରେ ଲୋକପ୍ରିୟ ହୋଇଥିଲେ। ପଞ୍ଜାବ ସରକାର ମୋସେୱାଲା ସମେତ ୪୨୪ଜଣଙ୍କ ସୁରକ୍ଷା ପ୍ରତ୍ୟାହାର କରିବାର ଗୋଟିଏ ଦିନ ପରେ ଏହି ଘଟଣା ଘଟିଛି।
Powered by Froala Editor