ରାଜ୍ୟସଭା ଯିବେ ସସ୍ମିତ, ମାନସ, ସୁଲତା ଓ ନିରଞ୍ଜନ
ଭୁବନେଶ୍ୱର : ରାଜ୍ୟସଭା ନିର୍ବାଚନ ପାଇଁ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରାର୍ଥୀ ଘୋଷଣା କରିଛନ୍ତି । ସସ୍ମିତ ପାତ୍ର, ମାନସ ମଙ୍ଗରାଜ, ସୁଲତା ଦେଓ ଓ ନିରଞ୍ଜନ ବିଶି ରାଜ୍ୟସଭାକୁ ଯିବେ । ପୂର୍ବରୁ ମାନସ ଓ ସସ୍ମିତ ଏବଂ ସୁଲତାଙ୍କ ନାମକୁ ନେଇ ଚର୍ଚ୍ଚା ହେଉଥିଲା । ତେବେ ନବୀନ କିଛି ଚକମା ଦେଇପାରନ୍ତି ବୋଲି ରାଜନୀତିକ ଅଳିନ୍ଦରେ କୁହାଯାଉଥିଲା । କିନ୍ତୁ ସେଭଳି କିଛି ହୋଇନାହିଁ ।
ଆଜି ବିଜୁ ଜନତା ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ଏହି ଚାରି ନେତାଙ୍କ ନାମରେ ମୋହର ଲଗାଇଛନ୍ତି । ସସ୍ମିତ ପାତ୍ର ପୂର୍ବରୁ ରାଜ୍ୟସଭା ସାଂସଦ ଥିଲେ । ରାଜ୍ୟସଭାରେ ତାଙ୍କର ପ୍ରଦର୍ଶନ ବେଶ ଉଚ୍ଚକୋଟୀର ଥିଲା । ଏମିତିକି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡ଼ୁ ମଧ୍ୟ ତାଙ୍କୁ ପ୍ରଶଂସା କରୁଥିଲେ । କମ ବୟସରେ ସେ ରାଜ୍ୟସଭା ପରିଚାଳନାର ସୌଭାଗ୍ୟ ପାଇଥିଲେ ।
ଅପରପକ୍ଷରେ ମାନସ ମଙ୍ଗରାଜ ଉଭୟ ବିଜେଡ଼ି ଓ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ଉପଦେଷ୍ଟା ଥିଲେ । ଦଳର ମିଡ଼ିଆ ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ତାଙ୍କ ଉପରେ ନ୍ୟସ୍ତ କରାଯାଇଥିଲା । ସେହିପରି ସୁଲତା ଦେଓ ଦଳର ମୁଖପାତ୍ର ଭାବେ ଦୀର୍ଘଦିନ ଧରି କାର୍ଯ୍ୟ କରିଆସୁଛନ୍ତି । ଗତ ବିଏମସି ନିର୍ବାଚନରେ ସେ ମେୟର ପ୍ରାର୍ଥୀ ହେବେବୋଲି ମଧ୍ୟ ଚର୍ଚ୍ଚା ହେଉଥିଲା । ଅପରପକ୍ଷରେ ପଶ୍ଚିମ ଓଡ଼ିଶାରୁ ନିରଞ୍ଜନ ବିଶିଙ୍କୁ ପ୍ରାର୍ଥୀ କରାଯାଇଛି । ବଲାଙ୍ଗୀରର ଜଣେ ଟାଣୁଆ ଆଦିବାସୀ ନେତା ଭାବେ ତାଙ୍କର ପରିଚିତି ରହିଛି । ସେ ଆଦିବାସୀ କଲ୍ୟାଣ ମହାସଂଘର ସାଧାରଣ ସମ୍ପାଦକ ଭାବେ କାର୍ଯ୍ୟ କରୁଛନ୍ତି ।
Powered by Froala Editor