ଷ୍ଟାଡିୟମ୍ରେ କୁକୁର ବୁଲାଇ ଫସିଲେ : ଆଇଏଏସ୍ ଦମ୍ପତିଙ୍କ ବଦଳି କରିଦେଲେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ
ଦିଲ୍ଲୀର ତ୍ୟାଗରାଜ ଷ୍ଟାଡିୟମରେ ଖେଳାଳିଙ୍କ ଅଭ୍ୟାସ ଅଟକାଇ କୁକୁର ବୁଲାଇବାକୁ ନେଇ ବିବାଦକୁ ଆସିଥିବା ଆଇଏଏସ ଅଧିକାରୀ ସଞ୍ଜୀବ ଖିରୱାରଙ୍କ ବଦଳି ହୋଇଛି। ଆଜି ଦିନ ତମାମ ଏହି ଖବରକୁ ନେଇ ଚର୍ଚ୍ଚା ହେବା ପରେ ସମ୍ପୃକ୍ତ ଆଇଏସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସ୍ୱାମୀ ଏବଂ ସ୍ତ୍ରୀଙ୍କୁ ଭିନ୍ନ ଭିନ୍ନ ସ୍ଥାନକୁ ବଦଳି କରାଯାଇଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ତାଙ୍କୁ ଦିଲ୍ଲୀରୁ ଲଦାଖ ବଦଳି କରିଛି। ତାଙ୍କ ପତ୍ନୀ ରିଙ୍କୁ ଦୁଗ୍ଗାଙ୍କୁ ମଧ୍ୟ ଅରୁଣାଳୟ ପ୍ରଦେଶ ବଦଳି କରାଯାଇଛି।
ଉଲ୍ଲେଖଯୋଗ୍ୟ ଯେ, କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏହି ଘଟଣାରେ ଦିଲ୍ଲୀର ମୁଖ୍ୟ ଶାସନ ସଚିବଙ୍କୁ ରିପୋର୍ଟ ତଲବ କରିଥିଲେ। ରିପୋର୍ଟ ଆସିବା ପରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି।
ଅଭିଯୋଗ ମୁତାବକ, ସନ୍ଧ୍ୟା ୭ଟା ବାଜିଲେ ଖେଳାଳି ଓ କୋଚ୍ଙ୍କୁ ଦିଲ୍ଲୀ ତ୍ୟାଗରାଜ ଷ୍ଟାଡିୟମ ଖାଲି କରିବାକୁ କୁହାଯାଉଛି। ଏଥିଯୋଗୁଁ ଅଭ୍ୟାସ ଉପରେ ପ୍ରଭାବ ପଡୁଛି। ପୂର୍ବରୁ କିନ୍ତୁ ଏଭଳି ହେଉନଥିଲା। ସନ୍ଧ୍ୟା ୮ଟାରୁ ସାଢ଼େ ୮ଟା ଯାଏଁ ଷ୍ଟାଡିୟମ ଖୋଲା ରହୁଥିଲା। ଏବେ କିନ୍ତୁ ଦିଲ୍ଲୀ ମୁଖ୍ୟ ସଚିବ ସଞ୍ଜୀବ ଖିରୱାର ଓ ତାଙ୍କ ପତ୍ନୀ ନିଜ କୁକୁରଙ୍କ ସହ ଷ୍ଟାଡିୟମରେ ଯେପରି ଆରାମରେ ବୁଲି ପାରିବେ ସେଥିପାଇଁ ସମୟ ପୂର୍ବରୁ ଗ୍ରାଉଣ୍ଡ ଖାଲି କରିଦିଆଯାଉଛି। ଅଥଲେଟ୍ଙ୍କ ପାଇଁ ଷ୍ଟାଡିୟମ ନୋ-ଏଣ୍ଟ୍ରି ଜୋନ୍ ପାଲଟି ଯାଉଛି ବୋଲି ସେମାନେ ଅଭିଯୋଗ ଆଣିଥିଲେ। ସେପଟେ କିନ୍ତୁ ଆଇଏଏସ୍ ସଞ୍ଜୀବ ଖିରଓ୍ୱାର ତାଙ୍କ ନାଁରେ ଆସିଥିବା ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସଞ୍ଜୀବ ଖିରଓ୍ୱାର ସ୍ପଷ୍ଟ କରିଛନ୍ତି, ନିଜ କୁକୁର ସହିତ ମଝିରେ ମଝିରେ ଷ୍ଟାଡିୟମକୁ ବୁଲି ବାକୁ ଆସନ୍ତି। ଏହାଦ୍ୱାରା କିନ୍ତୁ କ୍ରୀଡ଼ାବିତ୍ଙ୍କ ଅଭ୍ୟାସରେ ବାଧା ହୁଏନି। ଅଭିଯୋଗ ସାମନାକୁ ଆସିବା ପରେ ଦିଲ୍ଲୀ ସରକାର ତୁରନ୍ତ ଏହା ଉପରେ ପଦକ୍ଷେପ ନେଇଥିଲେ। ଏହାସହ ଷ୍ଟାଡିୟମ ରାତି ୧୦ଟା ଯାଏଁ ଖୋଲା ରହିବ ବୋଲି ସରକାର ଘୋଷଣା କରିଥିଲେ।
Powered by Froala Editor