ବିଜେପି ନେତାଙ୍କୁ ହତ୍ୟା

ମଙ୍ଗଳବାର ଚେନ୍ନାଇର ଜଣେ ବିଜେପି ନେତାଙ୍କୁ ଗଳାକାଟି ହତ୍ୟା କରାଯାଇଛି। ହତ୍ୟାର ଶିକାର ହୋଇଥିବା ବିଜେପି ନେତା ଜଣକ ହେଉଛନ୍ତି ୩୦ ବର୍ଷିୟ ବାଲ ଚନ୍ଦ୍ରନ। ସେ ତାମିଲନାଡ଼ୁର ବିଜେପି କେନ୍ଦ୍ରୀୟ ଜିଲ୍ଲାର ଏସସି ଏଏସଟି ଶାଖାର ଅଧ୍ୟକ୍ଷ ଥିଲେ। ଆକ୍ରମଣରେ ଆହତ ହେବା ପରେ ବାଲ ଚନ୍ଦ୍ରନଙ୍କୁ ରାଜୀବ ଗାନ୍ଧୀ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା।
ମୃତ ବାଲ ଚନ୍ଦ୍ରନଙ୍କ ବାପା ବିଶ୍ୱନାଥନ କହିଛନ୍ତି ଯେ, ଗତ ୬ ମାସ ହେଲା ୩ ଜଣ ଯୁବକଙ୍କ ସହ ତାଙ୍କର ବିବାଦ ଥିଲା । ସେମାନେ ବିଜେପିରେ ମିଶିବା ପାଇଁ ଚାହୁଁଥିଲେ। କିନ୍ତୁ ସେମାନେ ଗୁଣ୍ଡାଶ୍ରେଣୀର ହୋଇଥିବାରୁ ମୋ ପୁଅ ବିରୋଧ କରିଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ସେମାନେ ମୋ ପୁଅକୁ ହତ୍ୟା କରିଛନ୍ତି। ହତ୍ୟା ପରେ ବାଲଚନ୍ଦ୍ରନଙ୍କ ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ଅଣାଯାଇଛି। ଚେନ୍ନାଇ ପୁଲିସ କମିଶନର ଶଙ୍କର ଜୟୱାଲ କହିଛନ୍ତି ଯେ, ପୂର୍ବ ଶତ୍ରତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଛି। ଅପରାଧକୁ ନେଇ ପ୍ରତ୍ୟକ୍ଷଦର୍ଶୀଙ୍କର ବୟାନ ରେକର୍ଡ଼ ହୋଇଛି। ଖୁବ୍ ଶଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ସେ କହିଛନ୍ତି।
ଏହି ଘଟଣାକୁ ନେଇ ରାଜନୈତିକ ହଇଚଇ ସୃଷ୍ଟି ହୋଇ ଥିବା ବେଳେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶାସକ ଡିଏମକେ ପ୍ରତିଶ୍ରୁତି ଦେଇଛି। ଅନ୍ୟପକ୍ଷରେ ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତକୁ ନେଇ ବିରୋଧୀ ଏଆଇଏଡିଏମକେ ଶାସକ ଦଳକୁ ଦାୟୀ କରିଛି।
Powered by Froala Editor