ଫିଲ୍ମ ସଫଳତା ପରେ ଗଙ୍ଗା ଆଳତୀରେ ସାମିଲ ହେଲେ କାର୍ତ୍ତିକ ଆର୍ଯ୍ୟନ
ମୁମ୍ବାଇ: ଫିଲ୍ମ ଭୁଲ୍ ଭୁଲେୟାଁ-୨ ବକ୍ସ ଅଫିସ୍ରେ ହିଟ୍ ହୋଇଛି । ଦର୍ଶକଙ୍କ ମନକୁ ଏହା ବେଶ୍ ଛୁଇଁଛି । ରିଲିଜ୍ ହେବାର ମାତ୍ର ୪ ଦିନ ଭିତରେ ୬୬ କୋଟିରୁ ଅଧିକ କାରବାର କଲାଣି । ଆଶା କରାଯାଉଛି ଖୁବ୍ଶୀଘ୍ର ଏହା ୧୦୦ କୋଟି ପାର୍ କରିବ । ଯାହାକୁ ନେଇ ଏବେ ପୂରା ଟିମ୍ ଖୁସି । ଇତିମଧ୍ୟରେ ଆଉ ଏକ ଖବର ପହଞ୍ଚିଛି । ଚଳଚ୍ଚିତ୍ରଟି ଭଲ ବ୍ୟବସାୟ କରିଥିବାରୁ ଏହାର ନିର୍ମାତା ଭୂଷଣ କୁମାର ହିରୋ କାର୍ତ୍ତିକ ଆର୍ଯ୍ୟନଙ୍କୁ ସାଙ୍ଗରେ ଧରି ବାରଣାସିରେ ପହଞ୍ଚିଛନ୍ତି । ସେଠାରେ କାଶୀ ବିଶ୍ୱନାଥଙ୍କୁ ଦର୍ଶନ କରିବା ସହିତ ଗଙ୍ଗା ଆଳତୀରେ ସାମିଲ ହୋଇଥିଲେ । ଏନେଇ ନିଜେ କାର୍ତ୍ତିକ ତାଙ୍କ ସୋସିଆଲ୍ ମିଡିଆ ଆକାଉଣ୍ଟରେ କିଛି ଫଟୋ ସେୟାର କରିଛନ୍ତି । ଯାହାକୁ ଲକ୍ଷାଧିକ ଦର୍ଶକ ଲାଇକ୍ କରିବା ସହିତ ଖୁବ୍ ସୁନ୍ଦର କମେଣ୍ଟ ଦେଇଛନ୍ତି ।
କାର୍ତ୍ତିକ ଆର୍ଯ୍ୟନ ବାରଣାସିରେ ପହଞ୍ଚିବା ପରେ ସିଧା ଯାଇଥିଲେ କାଶୀ ବିଶ୍ୱନାଥ ମନ୍ଦିର ଦର୍ଶନ ଅଭିମୁଖେ । ସେଠାରେ ତାଙ୍କୁ ଫ୍ୟାନ୍ମାନେ ଘେରି ଯାଇଥିଲେ । କିଏ ସେଲ୍ଫି ନେଇଥିଲା ତ ଆଉ କିଏ ଅଟୋଗ୍ରାଫ୍ । ପୁଲିସ୍ ସୁରକ୍ଷା ସତ୍ତ୍ୱେ ଭିଡ଼ ନିୟନ୍ତ୍ରଣ ବାହାରକୁ ଯାଇଥିଲା । ଫଳରେ ଗଙ୍ଗା ଆଳତୀ ପାଇଁ ପୁଲିସ୍ ପକ୍ଷରୁ ପ୍ରଥମେ ମନା କରାଯାଇଥିଲା । ପରେ ଏଥିପାଇଁ ଅନୁମତି ମିଳିଥିଲା । ଏନେଇ କାର୍ତ୍ତିକ ସୋସିଆଲ ମିଡିଆରେ ତାଙ୍କ ଦର୍ଶନ ସହ ଜଡିତ କିଛି ସ୍ୱତନ୍ତ୍ର ଫଟୋ ସେୟାର କରିଛନ୍ତି । ସେ ପ୍ରତ୍ୟେକ ମୁହୂର୍ତ୍ତକୁ ଉପଭୋଗ କରିଥିବା କ୍ୟାପସନ୍ରେ ଲେଖିଛନ୍ତି ।
Powered by Froala Editor