କରୋନା ରୋଗୀଙ୍କ ନାକ, କାନ, ଗଳାରେ ହେଉଛି ଭୟଙ୍କର ସଂକ୍ରମଣ

ନୂଆଦିଲ୍ଲୀ: କରୋନା ମହାମାରୀ ମଧ୍ୟରେ ମଧୁମେହ, କିଡନି, ହାଇପରଟେନସନ ଓ ମୋଟାପଣଜନିତ ସମସ୍ୟାର ସାମ୍ନା କରୁଥିବା ଲୋକଙ୍କୁ ବିଶେଷ ଭାବେ ସତର୍କ ରହିବା ଆବଶ୍ୟକ ବୋଲି ଚିକିତ୍ସକମାନେ ମତ ଦେଇଛନ୍ତି । ଏଭଳି ରୋଗରେ ପୀଡ଼ିତ ଲୋକେ ଏବେ ଏକ ନୂଆ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସେମାନଙ୍କୁ ମୁକୋରମାଇକୋସିସ୍ (ଫଙ୍ଗଲ ଇନ୍ଫେକ୍ସନ) ନାମକ ଏକ ଘାତକ ରୋଗ ହେଉଛି । ଅହମ୍ମଦାବାଦରେ ଏପର୍ୟ୍ୟନ୍ତ ଏପରି ୬୦ ଜଣ ରୋଗୀଙ୍କୁ ଚିହ୍ନଟ କରାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ୯ ଜଣଙ୍କର ପ୍ରାଣହାନି ଘଟିଛି । ୩ ଜଣ ଦୃଷ୍ଟିଶକ୍ତି ହରାଇଛନ୍ତି । ୩୦ରୁ ଅଧିକ ରୋଗୀ ସିଭିଲ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଅହମ୍ମଦାବାଦ ସିଭିଲ ହସ୍ପିଟାଲର ଡାକ୍ତର ବେଲାବେନ୍ ପ୍ରଜାପତିଙ୍କ ଅନୁସାରେ ପୂର୍ବରୁ ଅନ୍ୟ ରୋଗ ଥିବା ଲୋକଙ୍କ ପାଇଁ କରୋନା ଏକ ବଡ଼ ବିପଦ ହୋଇ ଉଭା ହେଉଛି । ଏଭଳି ରୋଗୀଙ୍କୁ କରୋନା ହେଲେ ଶରୀରରେ ରକ୍ତଶର୍କରାର ପରିମାଣ ବଢ଼ିଯାଉଛି । ଏହାଛଡ଼ା ନାକ-କାନ ଗଳାରେ ସଂକ୍ରମଣ ହୋଇ ମୁହଁ ଫୁଲି ଯାଉଛି । ଏହାର ସବୁଠୁ ଅଧିକ ପ୍ରଭାବ ଆଖି ଉପରେ ପଡୁଛି । ଠିକ୍ ସମୟରେ ଚିକିତ୍ସା କରାନଗଲେ ଦୃଷ୍ଟିଶକ୍ତି ନଷ୍ଟ ହେବାର ଆଶଙ୍କା ରହିଛି ।