'ଜୟେଶଭାଇ ଜୋରଦାର୍' ଫ୍ଲପ୍
ମୁମ୍ବାଇ: କାମ ଦେଲାନି ରଣଭୀର ସିଂ ଯାଦୁ । ସବୁ ଉଦ୍ୟମ ଓ ଚେଷ୍ଟା ସତ୍ତ୍ୱେ ଦର୍ଶକ ପସନ୍ଦ କଲେନି । ଫଳରେ ପ୍ରଯୋଜକଙ୍କ ଠାରୁ ଆରମ୍ଭ କରି ନିର୍ଦ୍ଦେଶକଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ନିରାଶ ହେବାକୁ ପଡ଼ିଛି । ବକ୍ସ ଅଫିସରେ ଫେଲ୍ ମାରିଛି ରଣଭୀର ସିିଂଙ୍କ ବହୁ ପ୍ରତୀକ୍ଷିତ ସିନେମା 'ଜୟେଶଭାଇ ଜୋରଦାର' । ଫିଲ୍ମଟି ରିଲିଜ୍ ହେବାର ଦୁଇ ଦିନ ଭିତରେ ମାତ୍ର ୭.୭୫ କୋଟି କାରବାର କରିବାରେ ସକ୍ଷମ ହୋଇଛି । ଯାହା ଏକ ପ୍ରକାର ଫ୍ଲପ୍ କହିଲେ ଅତୁକ୍ତି ହେବନି । ଯେଉଁଠି ସାଉଥ୍ ଫିଲ୍ମ ରିଲିଜ୍ ହେବାର ଗୋଟିଏ ଦିନରେ ୫୦ କୋଟିରୁ ଅଧିକ କଲେକସନ୍ କରୁଛି ସେଠି ଏବେ ବଲିଉଡ୍ ଫିଲ୍ମ ଅଧା ବି କରିବାରେ ସକ୍ଷମ ହେଉନି ।
ଫିଲ୍ମରେ ପାଖାପାଖି ୬୦ କୋଟି ଖର୍ଚ୍ଚ ହୋଇଥିବା ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି । ହେଲେ ଏହା ରିଲିଜ୍ ହେବାର ପ୍ରଥମ ଦିନରେ ମାତ୍ର ୩.୨୫ କୋଟି ଆୟ କରିଥିଲା । ଅର୍ଥାତ୍ ୧୦ ପ୍ରତିଶତ ମଧ୍ୟ ଏହା ରୋଜଗାର କରିବାରେ ସକ୍ଷମ ହୋଇନଥିଲା । ସେହିଭଳି ଦ୍ୱିତୀୟ ଦିନରେ ବି ଏତେ ଭଲ ବ୍ୟାବସାୟ କରିନି । ମାତ୍ର ୪.୫ କୋଟି ଟଙ୍କା ରୋଜଗାର ହୋଇଥିବା ସୂଚନା ମିଳିଛି ।
ଫିଲ୍ମ ସମୀକ୍ଷକଙ୍କ କହିବା ଅନୁଯାୟୀ, ଏବେ ଦର୍ଶକ ବଲିଉଡ୍ ଅପେକ୍ଷା ସାଉଥ୍ ଫିଲ୍ମକୁ ଅଧିକ ପସନ୍ଦ କରୁଛନ୍ତି । ନିକଟରେ ରିଲିଜ୍ ହୋଇଥିବା କେଜିଏଫ୍-୨, ପୁଷ୍ପା ଭଲ ବ୍ୟବସାୟ କରିଥିଲା । ହେଲେ ସେହି ତୁଳନାରେ ବଲିଉଡ୍ ଫିଲ୍ମ ରୋଜଗାର କରିବାରେ ସକ୍ଷମ ହେଉନି । ମୋଟାମୋଟି ଭାବେ କହିବାକୁ ଗଲେ, ଏବେ ବଲିଉଡ୍ ଚଳଚ୍ଚିତ୍ର କ୍ରେଜ୍ କମି କମି ଚାଲିଛି । ଏହା ଉପରେ ନିର୍ଦ୍ଦେଶକ ଓ ପ୍ରଯୋଜକମାନେ ତୁରନ୍ତ ଚିନ୍ତା କରିବା ଆବଶ୍ୟକ । କିଭଳି ଭାବେ ପୁଣି ଦର୍ଶକଙ୍କୁ ବାନ୍ଧି ରହିବେ ତାହାକୁ ଧ୍ୟାନ ଦିଆଯିବ ଏକାନ୍ତ ଜରୁରି । ନଚେତ୍ ଦିନ ଆସିବ ବଲିଉଡ୍ ଫିଲ୍ମ ରୁଗ୍ଣ ହୋଇଯିବ ।
Powered by Froala Editor