ମିଛ ତଥ୍ୟ ଦେଇ ରାସନ କାର୍ଡ କରିଛନ୍ତି କି ? ସାବଧାନ ! ସରକାର ନେବେ କାର୍ଯ୍ୟାନୁଷ୍ଠାନ
ନୂଆଦିଲ୍ଲୀ : ମିଛ ତଥ୍ୟ ଦେଇ କେତେକ ହିତାଧିକାରୀ ରାସନକାର୍ଡ ହାତେଇ ନେଇଛନ୍ତି । ରାସନ କାର୍ଡ ନେଇ ସରକାରଙ୍କର ଯେଉଁ ଗାଇଡ଼ଲାଇନ ରହିଛି ତାହାକୁ ଦଳିମକଚି ଦିଆଯାଇଛି । ଚାରି ଚକିଆ ଯାନ ଓ ସରକାରୀ ଚାକିରୀଆ ଏବଂ ପେନସନ ଭୋଗୀ ମଧ୍ୟ ରାସନ କାର୍ଡରେ ଶସ୍ତାରେ ଚାଉଳ ଗହମ ପାଉଛନ୍ତି । କେନ୍ଦ୍ର ସରକାର ଏଭଳି ନକଲି ହିତାଧିକାରୀଙ୍କୁ ତାଲିକାରୁ ବାଦ ଦେବା ସହ କାର୍ଯ୍ୟାନୁଷ୍ଠାନ ନେବାକୁ ଯୋଜନା କରିଛନ୍ତି ।
ସମ୍ପ୍ରତି ଦେଶରେ ୨୨ କୋଟି ୧୯ ଲକ୍ଷ ଲୋକଙ୍କୁ ରାସନ କାର୍ଡ ଦିଆଯାଇଥିବାବେଳେ ୭୨ କୋଟି ୮୩ ଲକ୍ଷ ହିତାଧିକାରୀ ଅଛନ୍ତି । ଏଥିମଧ୍ୟରୁ ୨୦ କୋଟି କାର୍ଡର ୬୬ କୋଟି ୭୩ ଲକ୍ଷ ହିତାଧିକାରୀଙ୍କର ଆଧାର ସହ ସଂଯୋଗ ହୋଇଛି । ତେବେ ୧ କୋଟି ୪୫ ଲକ୍ଷ ରାସନକାଡର଼୍କୁ ସାଇଲେଂଟ ପର୍ଯ୍ୟାୟଭୁକ୍ତ କରାଯାଇଛି । ନକଲି ହିତାଧିକାରୀଙ୍କୁ ବାଦ ଦେବା ପାଇଁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ସହ ବିଚାରବିମର୍ଷ କରିଛନ୍ତି । ଖୁବଶୀଘ୍ର ଏନେଇ ନୂଆ ଗାଇଡ଼ଲାଇନ କରାଯିବ ।
ଯେଉଁମାନଙ୍କର ୧୦୦ ବର୍ଗ ମିଟର ଘର ଥିବ, ବର୍ଷକୁ ଗ୍ରାମାଂଚଳରେ ୨ ଲକ୍ଷ ଓ ସହରାଂଚଳରେ ୩ ଲକ୍ଷ ଟଙ୍କାର ରୋଜଗାର ଥିବ, ଚାରିଚକିଆ ବା ଟ୍ରାକ୍ଟର ଥିବ ସେମାନଙ୍କୁ ରାସନ କାର୍ଡ ମିଳିବ ନାହିଁ । ଯଦି ଏଭଳି ଲୋକ ରାସନ କାର୍ଡ ନେଇଥିବେ ତେବେ ତୁରନ୍ତ କାଡର଼୍ ସରେଣ୍ଡର କରିବାକୁ କୁହାଯିବ । କିନ୍ତୁ ସବୁ ଜାଣିଶୁଣି ଯଦି ଚୁପ ରହିବେ ତେବେ ତଦନ୍ତ ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କେନ୍ଦ୍ର ସରକାର ନିଷ୍ପତି ନେଇଛନ୍ତି । ଏହାଛଡ଼ା ଆଇଟି ବିଭାଗକୁ ମଧ୍ୟ ରାସନ କାର୍ଡ ଓ ଆଧାର ତଥ୍ୟ ଦିଆଯାଇ ଯାଂଚ କରାଯିବ । ଖୁବଶୀଘ୍ର ଏସଂକ୍ରାନ୍ତୀୟ ଗାଇଡ଼ଲାଇନ ଜାରି କରାଯିବ ବୋଲି ଜାଣିବାକୁ ମିଳିଛି ।
Powered by Froala Editor