ବେଙ୍ଗଲରେ ଜୋର୍ ଧରୁଛି ବିଜେପି ଅନ୍ତଃ କନ୍ଦଳ, ପଢ଼ନ୍ତୁ ସେଠାରେ ସ୍ଥିତି କ’ଣ...

କୋଲକାତା: ପଶ୍ଚିମବଙ୍ଗରେ ଦିନକୁ ଦିନ ବିଜେପି ଅନ୍ତଃ କନ୍ଦଳ ବଢ଼ିବାରେ ଲାଗିଛି । ଜାତୀୟସ୍ତରର ପୁରୁଖା ନେତାଙ୍କ ସବୁ ଚେଷ୍ଟା ଓ ଉଦ୍ୟମ ସତ୍ୱେ ଏହାର ସମାଧାନ ହୋଇପାରୁନି । ବରଂ ସ୍ଥିତି ଅଣାୟତ ହେଉଛି । ଯାହାକି ଏବେ ହାଇକମାଣ୍ଡଙ୍କ ଚିନ୍ତାର କାରଣ ପାଲଟିଛି । କିଭଳି ଭାବେ ଏହାକୁ ନିୟନ୍ତ୍ରଣ କରାଯିବ ଓ ସ୍ଥିତିରେ ସୁଧାର ଆସିବ ସେନେଇ ଦଳର ବରିଷ୍ଠ ନେତାମାନେ ଲାଗି ପଡ଼ିଛନ୍ତି । ଇତିମଧ୍ୟରେ ଖବର ଆସିଛି ଆସନ୍ତା ୪ ତାରିଖରେ ପଶ୍ଚିମବଙ୍ଗ ଗସ୍ତରେ ଯିବେ ନିଜେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ହେଲେ ଏହା ପୂର୍ବରୁ ପୁଣି ଏକ ଚମକାଇ ଦେବା ଭଳି ଘଟଣା ଘଟିଛି । ଉତର ଚବିଶ ପ୍ରଗଣା ଜିଲ୍ଲାର ବାରାସାତ ସଙ୍ଗଠନାତ୍ମକ ସମିତିରୁ ୧୫ ଜଣ ଦଳୀୟ ପଦାଧିକାରୀ ଏକ ସଙ୍ଗେ ଇସ୍ତଫା ଦେଇଛନ୍ତି ।
ବେଙ୍ଗଲ ଉପନିର୍ବାଚନ ପରେ ଆରମ୍ଭ ହୋଇଯାଇଥିଲା ଦଳୀୟ ଅନ୍ତଃ କନ୍ଦଳ । ପ୍ରଥମେ ଆସାନସୋଲରେ ନିଜର ଆସନ ଦଖଲ କରିବାରେ ଦଳ ବିଫଳ ହେବାରୁ ୩ ଜଣ ଦଳୀୟ ବିଧାୟକ ନିଜ ପଦରୁ ଇସ୍ତଫା ଦେଇଥିଲେ । ଯାହାକି ଦଳ ପାଇଁ ଏବ ବଡ଼ କ୍ଷତି ପହଞ୍ଚାଇ ଥିଲା । ଏହାପରେ ୪୮ ଘଂଟା ମଧ୍ୟରେ ନଦିଆ ଜିଲ୍ଲାର ୧୪ ଜଣ ଜିଲ୍ଲାସ୍ତରୀୟ ପଦାଧିକାରୀ ଦଳର ହାତ ଛାଡ଼ିଥିଲେ । ଆଉ ଏବେ ଚବିଶ ପ୍ରଗଣା ଜିଲ୍ଲାରୁ ପୁଣି ସମାନ ଖବର ଆସିଛି । ସେମାନେ ଅଭିଯୋଗ କରିଛନ୍ତି ତାପସ ମିତ୍ରା ଦଳ ବିରୋଧୀ କାର୍ଯ୍ୟ କରୁଛନ୍ତି । ଏନେଇ ସେମାନେ ଅନେକ ଥର ଅଭିଯୋଗ କରିଥିଲେ । ହେଲେ କିଛି ଫଳପ୍ରଦ ହେଲାନି । ତେଣୁ ସେମାନେ ବାଧ୍ୟ ହୋଇ ଇସ୍ତଫା ଦେଲେ ।
Powered by Froala Editor