ସେ ସାପ ନୁହେଁ, ଆମ ଝିଅ ପରି : ଗର୍ଭବତୀ ଅଜଗରକୁ ଜଗିଛନ୍ତି ଗ୍ରାମବାସୀ
ଅଜଗର ଆମ ଝିଅ ! ସେ ଗର୍ଭବତୀ ଅଛି, ଆମେ ତା ଦାୟିତ୍ୱ ନେବୁ । ଏକ ଅଜଗର ସାପକୁ ସୁରକ୍ଷା ଦେବାକୁ ଯାଇ ଗ୍ରାମବାସୀ ଏଭଳି କହିଛନ୍ତି । ଯାହାକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ନିକଟସ୍ଥ ଚନ୍ଦକା ରେଞ୍ଜ ଅଧିନସ୍ଥ ଗଡ଼ ନିଆଲ ଗ୍ରାମରେ। ଗାଁ ପାଖରେ ଏକ ଜଙ୍ଗଲରେ ଗୋଟେ ବିରାଟ ଅଜଗର ସାପକୁ ଦେଖି କିଛି ସ୍ଥାନୀୟ ଗ୍ରାମବାସୀ ଚନ୍ଦକା ରେଞ୍ଜରଙ୍କୁ ଖବର ଦେଇଥିଲେ। ରେଞ୍ଜର ସ୍ନେକ ହେଲ୍ପ ଲାଇନକୁ ଖବର ଦେବା ପରେ ସେମାନେ ଆସି ପହଂଚିଥିଲେ । ସ୍ନେକ ହେଲ୍ପ ଲାଇନର ମୁଖ୍ୟ ଶୁଭେନ୍ଦୁ ମାଲିକଙ୍କ ସୂଚନା ଦେଇଥିଲେ କି ବର୍ତ୍ତମାନ ସାପଙ୍କ ଅଣ୍ଡା ଦେବା ସମୟ । ତେଣୁ ସାପର କ୍ଷତି ନ କରି ସୁରକ୍ଷା ବ୍ୟବସ୍ଥା କରିବା ଉଚିତ । ପରେ ଯାଞ୍ଚରୁ ଜଣା ପଡିଥିଲା ଯେ, ଅଜଗରଟି ବି ଗର୍ଭବତୀ ଅଛି। ପରାମର୍ଶ ପାଇବା ପରେ ଚନ୍ଦକା ରେଞ୍ଜର ତୁରନ୍ତ ଗ୍ରାମବାସୀଙ୍କ ସହାୟତାରେ ପୂରା ଅଞ୍ଚଳକୁ ଘେରବାନ୍ଧି କରି ରଖିଛନ୍ତି । ଅଜଗର ଛୁଆ ଫୁଟିଲା ପର୍ଯ୍ୟନ୍ତ ଏହି ସୁରକ୍ଷା ବଲବତ୍ତର ଆଉ ସେମାନେ ସଂପୂର୍ଣ୍ଣ ଦାୟିତ୍ୱ ନେବେ ବୋଲି କହିଛନ୍ତି ।
ବନ୍ୟଜନ୍ତୁଙ୍କୁ ଲୋକମାନେ ଅସୁରକ୍ଷିତ ମନେ କରି ସେମାନଙ୍କର କ୍ଷତି ଘଟାଇଥାନ୍ତି । ଅନେକ ସମୟରେ ସେମାନଙ୍କ ମୃତ୍ୟୁ ଘଟିଥାଏ । ହେଲେ ଏଠାରେ ଗ୍ରାମବାସୀଙ୍କ ଉଦାରତା ଦେଖି ସମସ୍ତେ ପ୍ରଶଂସା କରୁଛନ୍ତି ।
Powered by Froala Editor