ବିମଲ ଇଲାଇଚିର ବିଜ୍ଞାପନ କରିବାକୁ ମନା କଲେ ୟଶ

ଏକ ପାନ୍ ମସଲା ବ୍ରାଣ୍ଡ ପାଇଁ କେଜିଏଫ୍ -୨ ମେଗାଷ୍ଟାର ୟଶଙ୍କ ନିକଟକୁ ଅଫର ଆସିଛି। ହେଲେ ଏହି ବିଜ୍ଞାପନକୁ ନେଇ ୟଶ ବଡ ନିଷ୍ପତ୍ତି ନେଇଛନ୍ତି। ସେ କୌଣସି ଖରାପ ଜିନିଷକୁ ପ୍ରୋତ୍ସାହନ କରିବେନି ବୋଲି ସମ୍ପୂର୍ଣ୍ଣ ଭାବେ ମନା କରି ଦେଇଛନ୍ତି।
କୋଟି କୋଟି ଟଙ୍କାର ବିମଲ ଇଲାଇଚିର ବିଜ୍ଞାପନ କରି ବିବାଦୀୟ ହୋଇପଡ଼ିଥିବା ବଲିଉଡର ଖିଲାଡି ଅକ୍ଷୟ କୁମାରଙ୍କ ପରେ ଏହି ବିଜ୍ଞାପନ କନ୍ନଡ ସୁପରଷ୍ଟାର ୟଶଙ୍କୁ ଅଫର କରାଯାଇଥିଲା। ହେଲେ ସେ ବିଜ୍ଞାପନ କରିବାକୁ ମନା କରିଦେଇଥିବା ଜଣାପଡ଼ିଛି। ଅକ୍ଷୟଙ୍କୁ କରାଯାଉଥିବା ଟ୍ରୋଲିଂକୁ ଦେଖି ୟଶ ପଛକୁ ହଟିଥିବା କୁହାଯାଉଛି।
ୟଶଙ୍କ ଏଣ୍ଡୋର୍ସମେଣ୍ଟ ଡିଲ୍ ପରିଚାଳନା କରୁଥିବା କମ୍ପାନି ଏକ୍ସିଡ୍ ଏଣ୍ଟରଟେନମେଣ୍ଟ ଦ୍ୱାରା ଏହି ଖବର ନିଶ୍ଚିତ କରାଯାଇଛି। ଏହାର ମୁଖ୍ୟ ଅର୍ଜୁନ ବାନାର୍ଜୀ ଏକ ପ୍ରେସ ବିବୃତି ଜାରି କରି ଲେଖିଛନ୍ତି, ପାନ ମସଲା ଏବଂ ଏହିପରି ଦ୍ରବ୍ୟ ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଉଛି। ଏହାର ପ୍ରଭାବ ସାଂଘାତିକ ହୋଇପାରେ। ବାସ୍ତବରେ, ଏହା ୟଶଙ୍କ ଦ୍ୱାରା ନିଆଯାଇଥିବା ଏକ ବଡ଼ ନିଷ୍ପତ୍ତି। ନିଜ ପ୍ରଶଂସକ ଏବଂ ତାଙ୍କ ଅନୁଗାମୀମାନଙ୍କ ସ୍ୱାର୍ଥକୁ ଆଖିରେ ରଖି ପାନ ମସଲା ବିଜ୍ଞାପନ କରିବାକୁ ମନା କରିଦେଇଛନ୍ତି ସେ।
ସୂଚନା ଯେ, ଅଜୟ ଦେବଗନ, ଶାହାରୁଖ ଖାନ ଏବଂ ଅକ୍ଷୟ କୁମାର ପାନ ମସଲାର ବିଜ୍ଞାପନ କରି ଖୁବ୍ ବିବାଦର ଘେରକୁ ଆସିଥିଲେ। ଯେଉଁଥିପାଇଁ ତାଙ୍କୁ ସୋସିଆଲ ମିଡିଆରେ ଖୁବ୍ ଟ୍ରୋଲ କରାଯାଇଥିଲା। ଯାହା ଫଳରେ ଅକ୍ଷୟ କୁମାର ବିଜ୍ଞାପନ ତଥା ପାନ ମସଲାର ଘଟଣା ପରେ ପ୍ରଶଂସକଙ୍କ ନିକଟରେ କ୍ଷମା ପ୍ରାର୍ଥନା ମାଗିଥିଲେ।
Powered by Froala Editor