ପଞ୍ଜାବରେ ମାଗଣା ବିଜୁଳି

ଅମୃତସର: ନିର୍ବାଚନ ବେଳେ ଦେଇଥିବା ପ୍ରତିଶ୍ରୁତିକୁ ପୂରଣ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି ପଞ୍ଜାବର କ୍ଷମତାସୀନ ଆମ ଆଦମୀ ପାର୍ଟି(ଆପ୍) ସରକାର । ନିର୍ବାଚନ ପ୍ରଚାର ବେଳେ ଦଳ ପକ୍ଷରୁ ଲୋକଙ୍କୁ ମାଗଣା ବିଜୁଳି ଦିଆଯିବ ବୋଲି ଘୋଷଣା କରାଯାଇଥିଲା । ଏବେ ଏହି ପ୍ରତିଶ୍ରୁତିକୁ ଆପ୍ ସରକାର ଜୁଲାଇ ମାସରୁ କାର୍ଯ୍ୟକାରୀ କରିବେ । ଜୁଲାଇ ମାସ ଠାରୁ ଲୋକଙ୍କୁ ୩୦୦ ୟୁନିଟ୍ ଯାଏ ବିଜୁଳି ଖର୍ଚ୍ଚ ପାଇଁ କୌଣସି ପ୍ରକାରର ଟଙ୍କା ଦେବାକୁ ପଡିବ ନାହିଁ ।
ଭଗୱନ୍ତ ମାନଙ୍କ ନେତୃତ୍ୱାଧୀନ ଆପ୍ ସରକାର ଠିକ୍ ମାସକ ତଳେ ପଞ୍ଜାବରେ କାର୍ଯ୍ୟ ଆରମ୍ଭ କରିଥିଲେ । କ୍ଷମତାରେ ରହିବାର ମାସକ ପରେ ଆପ୍ ସରକାର ନିଜର ପ୍ରତିଶ୍ରୁତି ପୂରଣ ପର୍ବ ଆରମ୍ଭ କରିଛନ୍ତି । ପ୍ରଥମ ପଦକ୍ଷେପ ସ୍ୱରୂପ ଜୁଲାଇ ୧ରୁ ସମସ୍ତଙ୍କୁ ୩୦୦ ୟୁନିଟ ଯାଏ ବିଜୁଳି ମାଗଣା ମିଳିବ । ଏହାପରେ ପର୍ଯ୍ୟାୟକ୍ରମେ ଆପ୍ ଦେଇଥିବା ବାକି ପ୍ରତିଶ୍ରୁତିକୁ ପୂରଣ କରାଯିବ । ପଞ୍ଜାବକୁ ୧ନଂ ରାଜ୍ୟ କରିବା ହିଁ ଆପର ଲକ୍ଷ୍ୟ ବୋଲି ଦଳ ପକ୍ଷରୁ କୁହାଯାଇଛି ।
ଏହି ଘୋଷଣାର କିଛି ଦିନ ପୂର୍ବରୁ ଆପ୍ର ମୁଖପାତ୍ର ମାଲୱିନ୍ଦର ସିଂହ କଙ୍ଗ କହିଥିଲେ ଯେ ନିର୍ବାଚନ ବେଳେ ଦଳ ମାଗଣା ବିଜୁଳି କଥା ଘୋଷଣା କରିଥିଲା । ପଞ୍ଜାବବାସୀଙ୍କୁ ମାଗଣା ବିଜୁଳି ଯୋଗାଇ ଦେବା ପାଇଁ ଆପ୍ ସରକାର ସବୁ ପ୍ରକାରର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରି ସାରିଛନ୍ତି । କେବଳ ଏହା କେବେ ଠାରୁ ଲାଗୁ ହେବ, ସେ ବିଷୟରେ ମାନସମନ୍ଥନ ଚାଲିଥିବା ସେ କହିଥିଲେ । ଏପରି ସୂଚନାର କିଛି ଦିନ ଭିତରେ ହିଁ ଆପ୍ ସରକାର ଜୁଲାଇ ୧ରୁ ମାଗଣା ବିଜୁଳି ଲୋକଙ୍କୁ ମିଳିବ ବୋଲି ଘୋଷଣା କରିଛନ୍ତି ।
Powered by Froala Editor