ଏଥର ଏପ୍ରିଲ୍ ନୁହେଁ, ମେ’ରୁ ନୂଆ ଶିକ୍ଷାବର୍ଷ
ଭୁବନେଶ୍ୱର: ବଦଳିବ ଶିକ୍ଷାବର୍ଷ । ଏପ୍ରିଲ ବଦଳରେ ମେ’ ମାସଠାରୁ ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ଶିକ୍ଷାବର୍ଷ ଆରମ୍ଭ ହେବ । ଗ୍ରୀଷ୍ମ ଛୁଟି ମଧ୍ୟ ହ୍ରାସ କରାଯିବ । ପ୍ରତିବର୍ଷ ମେ’ ୬ରୁ ଜୁନ୍ ୧୭ ପର୍ଯ୍ୟନ୍ତ ସ୍କୁଲଗୁଡିକରେ ଗ୍ରୀଷ୍ମ ଛୁଟି ହେଉଥିଲା । ମାତ୍ର ଲଗାତାର ଦୁଇବର୍ଷ ହେଲା କରୋନା ଯୋଗୁ ଛାତ୍ରଛାତ୍ରୀଙ୍କ ପାଠପଢା ପ୍ରଭାବିତ ହୋଇଥିବାରୁ ଗଣଶିକ୍ଷା ବିଭାଗ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।
ଏଥିସହ ସରକାରୀ ସ୍କୁଲଗୁଡିକରେ ନାମଲେଖା ପ୍ରକ୍ରିୟା ଆରମ୍ଭ କରିବାକୁ ଅନୌପଚାରିକ ଭାବେ କୁହାଯାଇଛି । ସଚେତନତା ରଥ ମାଧ୍ୟମରେ ଲୋକଙ୍କୁ ବୁଝାଯାଇଛି । ଏହାକୁ ଅଧିକ ବ୍ୟାପକ କରିବା ସହ ମେ’ ମାସରେ ଆରମ୍ଭ ହେବାକୁ ନୂତନ ଶିତକ୍ଷାବର୍ଷରେ ଜଣେ ଛାତ୍ରଛାତ୍ରୀ ଯେପରି ଶିକ୍ଷା ଗ୍ରହଣରୁ ବଂଚିତ ନ ହୁଅନ୍ତି, ସେଥିପ୍ରତି ଦୃଷ୍ଟି ଦେବାକୁ ଗଣଶିକ୍ଷା ବିଭାଗ ପକ୍ଷରୁ ନିଦେ୍ର୍ଧଶ ଦିଆଯାଇଛି ।
ବିଭାଗୀୟ ମନ୍ତ୍ରୀ ସମୀର ରଂଜନ ଦାଶଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ନୂତନ ଶିକ୍ଷାବର୍ଷ ସମେତ ନାମଲେଖା, ଗ୍ରୀଷ୍ମ ଛୁଟି, ଦଶମ ଓ ଯୁକ୍ତ୨ ପରୀକ୍ଷା ଆଦି ବିଷୟରେ ବିଶଦ ଆଲୋଚନା ହୋଇଥିଲା । ବର୍ତ୍ତମାନ ପରିସ୍ଥିତିକୁ ନଜରରେ ରଖି କିଛି ବଡ ଧରଣର ନିଷ୍ପତ୍ତି ହୋଇଛି । ଦୁଇବର୍ଷ ଧରି ପ୍ରାଥମିକ ଛାତ୍ରଛାତ୍ରୀଙ୍କ ପାଠପଢା ପ୍ରଭାବିତ ହୋଇଛି । ପରୀକ୍ଷା ସମୟରେ ସେମାନଙ୍କ ଦୁର୍ବଳତା ପଦାକୁ ଆସିଛି । ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ନିର୍ଦ୍ଧିଷ୍ଟ ଶ୍ରେଣୀର ପାଠକୁ ବୁଝି ପାରୁନାହାନ୍ତି । ସେମାନଙ୍କୁ ପୂର୍ବ ସ୍ଥିତିକୁ ଫେରାଇ ଆଣିବା ଦିଗରେ ବିଭାଗ ଗୁରୁତ୍ୱାରୋପ କରିଛି । ତେଣୁ ଗ୍ରୀଷ୍ମ ଛୁଟି ସମୟକୁ ହ୍ରାସ କରିବାକୁ ନିଷ୍ପତ୍ତି ହୋଇଛି ।
Powered by Froala Editor