ୟୁକ୍ରେନରେ ପିଲାଙ୍କ ଆଗରେ ମା’ଙ୍କୁ ବଳାତ୍କାର କରି ହତ୍ୟା

କ୍ୱିଭ: ୟୁକ୍ରେନ ରାଷ୍ଟ୍ରପତି ଭୋଲଡିମିର ଜେଲେନସ୍କି ଗତକାଲି ଜାତିସଂଘ ସୁରକ୍ଷା ପରିଷଦ ବୈଠକ (ୟୁଏନଏସ୍ସି)କୁ ଭିଡିଓ କନଫରେନ୍ସିଂ ଯୋଗେ ସମ୍ବୋଧିତ କରି କହିଛନ୍ତି, ଋଷ ସୈନ୍ୟ ୟୁକ୍ରେନର ମହିଳାମାନଙ୍କୁ ସେମାନଙ୍କର ପିଲାମାନଙ୍କ ସମ୍ମୁଖରେ ବଳାତ୍କାର ଓ ହତ୍ୟା କରୁଛନ୍ତି । ସାଧାରଣ ନାଗରିକଙ୍କ ଉପରେ ଟ୍ୟାଙ୍କର ମଡାଇ ହତ୍ୟା କରାଯାଉଛି । ଜାତିସଂଘର ସମସ୍ତ ସଦସ୍ୟ ରାଷ୍ଟ୍ର ତୁରନ୍ତ ଋଷ ବିରୋଧରେ କୌଣସି ଦୃଢ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ ବୋଲି ଜେଲେନସ୍କି କହିଛନ୍ତି । ଅନ୍ୟପକ୍ଷରେ ଜେଲେନସ୍କି ବୁଚା ସହରର ବିଭିନ୍ନ ଭାଗ ବୁଲି ସେଠାକାର ପରିସ୍ଥିତି ତଦାରଖ କରିଛନ୍ତି ।
ବୁଚା ରେ ଋଷର ନରସଂହାର ଦେଖି ଜେଲେନସ୍କି ଭାବୁକ ହୋଇପଡିବା ସହ କହିଛନ୍ତି, ଋଷ ସୈନ୍ୟ ଅତ୍ୟନ୍ତ ନୃଶଂସ ଭାବେ ସାଧାରଣ ନାଗରିକଙ୍କର ହାତ ଗୋଡ ବାନ୍ଧି ସେମାନଙ୍କର ହତ୍ୟା କରିଛନ୍ତି । ଋଷର ଏଭଳି ଆଚ୍ଚରଣ ଦେଖିବା ପରେ ଋଷ ସହ ଶାନ୍ତିବାର୍ତ୍ତା ନେଇ ଆଲୋଚନା କରିବାର ସମ୍ଭାବନା ଧୀରେଧୀରେ କମି ଚାଲିଛି । ୟୁକ୍ରେନ ନିଶ୍ଚିନ୍ତ ରୂପେ ନାଗରିକମାନଙ୍କର ହତ୍ୟାର ପ୍ରତିଶୋଧ ନେବ ।
ପଶ୍ଚିମ ଦେଶ ଋଷ ବିରୋଧରେ କଟକଣା ଆହୁରି କଡାକଡି କରିବା ଆବଶ୍ୟକ । ଫ୍ରାନ୍ସ ଏବଂ ଜର୍ମାନୀରେ ନେତାମାନେ ଥରେ ବୁଚାକୁ ଆସି ଦେଖିବା ଜରୁରୀ ଯେ, ଗତ ୧୫ବର୍ଷ ଧରି ଋଷକୁ ସୁହାଇବା ଭଳି ସେମାନଙ୍କର ନୀତି ଯୋଗୁ ପରିସ୍ଥିତି କ’ଣ ହୋଇଛି । ଫ୍ରାନ୍ସ ଏବଂ ଜର୍ମାନୀ ହିଁ ୟୁକ୍ରେନକୁ ନାଟୋର ସଦସ୍ୟତା ନ ଦେବାକୁ କହି ଆସୁଥିଲେ । ଋଷ ଏବେ ତା’ର ଫାଇଦା ଉଠାଉଛି ବୋଲି ଜେଲେନସ୍କି କହିଛନ୍ତି । ଇତିମଧ୍ୟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡନ୍ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ୱାର କ୍ରିମିନାଲ ବା ଯୁଦ୍ଧ ଅପରାଧୀ ଘୋଷଣା କରିବା ସହ ପୁଟିନଙ୍କ ବିରୋଧରେ ମାମଲା ଚଲାଇବାକୁ ଆହ୍ୱାନ ଦେଇଛନ୍ତି ।
Powered by Froala Editor