ଗିରଫ ହୋଇପାରନ୍ତି ଇମ୍ରାନ ଖାନ, ଜାଣନ୍ତୁ କାରଣ
ଇସଲାମାବାଦ : ପାକିସ୍ତାନରେ ଏବେ ରାଜନୈତିକ ସଂକଟ ସୃଷ୍ଟି ହୋଇଛି । ଆଜି ପାକ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୋଧରେ ଆସିଥିବା ଅନସ୍ଥା ପ୍ରସ୍ତାବ ଉପରେ ଭୋଟ ହେବ । ଯଦି ଇମ୍ରାନ ଅନାସ୍ଥାରେ ହାରିବେ ତେବେ ତାଙ୍କୁ ଗିରଫ କରାଯିବାର ବି ଆଶଙ୍କା ରହିଛି । ପାକିସ୍ତାନ ରାଜନୈତିକ ଇତିହାସରେ ଅତୀତରେ ଅନେକ ବାର ଏଭଳି ଅଗଣତାନ୍ତ୍ରିକ ଓ ଅସାମ୍ବିଧାନିକ ପ୍ରକ୍ରିୟା ଦେଖିବାକୁ ମିଳିଛି । ଶାସନରେ ଥିବା ବ୍ୟକ୍ତି ଯଦି ପଦଚ୍ୟୁତ ହୁଏ ତେବେ ଫାଶୀ ଓ ଜେଲ ଦଣ୍ଡାଦେଶ ଭଳି ଘଟଣା ବି ଦେଖିବାକୁ ମିଳିଛି ।
ପାକିସ୍ତାନ ସଂସଦର ନିମ୍ନ ସଦନରେ ୩୪୨ ସଦସ୍ୟ ଥିବାବେଳେ ଅନାସ୍ଥାରୁ ବର୍ତ୍ତିବା ପାଇଁ ଅତିକମରେ ୧୭୨ ଜଣ ସଦସ୍ୟଙ୍କ ସମର୍ଥନ ଆବଶ୍ୟକତା ରହିଛି । ତେବେ ବିରୋଧୀ ତାଙ୍କ ପାଖରେ ୧୭୫ ଜଣ ସଦସ୍ୟଙ୍କ ସମର୍ଥନ ଥିବା କହୁଥିବାବେଳେ ଇମ୍ରାନ ଖାନ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ଦାବି ହୋଇଛି । ଅପରପକ୍ଷରେ ଆଜି ଇମ୍ରାନଙ୍କ ଦଳ ପକ୍ଷରୁ ପାକିସ୍ତାନର ଅନେକ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଥିବା ଦେଖିବାକୁ ମିଳିଛି । ଇମ୍ରାନଙ୍କ ଉପରେ ପାକ ସେନାର ସର୍ବୋଚ୍ଚ ଅଧିକାରୀମାନେ ବି ସନ୍ତୁଷ୍ଟ ନଥିବା ଜାଣିବାକୁ ମିଳିଛି । ତେଣୁ ସେ ପଦଚ୍ୟୁତ ହେଲେ ଗିରଫ ହୋଇପାରନ୍ତି ବୋଲି କୁହାଯାଉଛି ।
ଅପରପକ୍ଷରେ ଆଗାମୀ ନିର୍ବାଚନରେ ପାକରେ ଇଭିଏମ ମେସିନ ବ୍ୟବହାର ସହ ବିଦେଶରେ ରହୁଥିବା ପାକିସ୍ତାନୀମାନଙ୍କୁ ଭୋଟ ଅଧିକାର ଦେବା ପାଇଁ ଇମ୍ରାନଙ୍କ ପିଟିଆଇ ନିଷ୍ପତି ନେଇଛି । ତେଣୁ ପୁଣି ଥରେ ପାକରେ ନିର୍ବାଚନ କରିବା ସହ ବହୁ ସଂଖ୍ୟାରେ ବିଜୟୀ ହେବା ପାଇଁ ଇମ୍ରାନ ଯୋଜନା କରିଛନ୍ତି । ଇତିମଧ୍ୟରେ ଇମ୍ରାନଙ୍କ ଖାସ ସହଯୋଗୀମାନେ ଏନେଇ ବିଭିନ୍ନ ରାଜ୍ୟ ବୁଲି ପ୍ରସ୍ତୁତି ଆରମ୍ଭ କରିଦେଇଥିବା ଜାଣିବାକୁ ମିଳିଛି ।
Powered by Froala Editor