ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ ଘର ଆଗରେ ବିକ୍ଷୋଭ
କୋଲମ୍ବୋ: ଘୋର ଆର୍ଥିକ ସଙ୍କଟ ମଧ୍ୟ ଦେଇ ଗତି କରୁଛି ଶ୍ରୀଲଙ୍କା ।ଭୟଙ୍କର ଆର୍ଥିକ ସଙ୍କଟ ପରିଚାଳନାରେ ସରକାରଙ୍କ ବିଫଳତା ନେଇ ଗୁରୁବାର ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେଙ୍କ ବାସଭବନ ସମ୍ମୁଖରେ ତୀବ୍ର ବିରୋଧ ପ୍ରଦର୍ଶନ କରାଯାଇଛି । ଯାହା କ୍ରମଶଃ ହିଂସାକାଣ୍ଡର ରୂପ ନେବାରୁ ଏଥିରେ ୧୦ ଜଣ ଆହତ ହୋଇଛନ୍ତି । ଯାହା ସୂଚନା ରହିଛି, ଦେଶରେ ଅହେତୁକ ଦରଦାମ ବୃଦ୍ଧି ଯୋଗୁଁ ରାଷ୍ଟ୍ରପତିଙ୍କ ଘର ବାହାରେ ହଜାର ହଜାର ଲୋକେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବିରୋଧ ପ୍ରଦର୍ଶନ ସମୟରେ ବିକ୍ଷୋଭକାରୀ ଶ୍ରୀଲଙ୍କା ସେନାର ଏକ ବସ୍ ଏବଂ ଜିପ୍କୁ ନିଆଁ ଲଗାଇ ଦେଇଥିବାର ମଧ୍ୟ ସୂଚନା ମିଳିଛି । ସେମାନଙ୍କୁ ଘଉଡାଇବାକୁ ଯାଇ ପୋଲିସ ଏବଂ ବିକ୍ଷୋଭକାରୀ ମୁହାଁମୁହିଁ ହୋଇଥିଲେ । ଫଳରେ ଅନେକ ଲୋକ ଆହତ ହୋଇଛନ୍ତି । ଏହି ଘଟଣା ପରେ କଲମ୍ବୋର କେତେକ ଅଞ୍ଚଳରେ ପୋଲିସ କର୍ଫ୍ୟୁ ଜାରି କରିଛି । ଜଣେ ପୋଲିସ ଅଧିକାରୀଙ୍କ କହିବା ଅନୁଯାୟୀ, ପରବର୍ତ୍ତୀ ନିର୍ଦ୍ଦେଶନାମା ଯାଏଁ ଉତ୍ତର କଲମ୍ବୋ, ଦକ୍ଷିଣ କଲମ୍ବୋ, କଲମ୍ବୋ ସେଣ୍ଟ୍ରାଲ ଏବଂ ନୁଗେଗୋଡା ପୋଲିସ ଡିଜିଜନରେ କର୍ଫ୍ୟୁ ଲାଗିଛି ।କୋଭିଡ ମହାମାରୀ କାଳରେ ଶ୍ରୀଲଙ୍କାର ପର୍ୟ୍ୟଟନ କ୍ଷେତ୍ର ଭୁଶୁଡି ପଡିବା ଯୋଗୁଁ ଏହାର ଅର୍ଥନୀତି ଅତି ଦୁର୍ବଳ ହୋଇପଡିଥିଲା । ବର୍ତ୍ତମାନ ଏହି ରାଷ୍ଟ୍ରରେ ବିଦେଶୀ ମୁଦ୍ରା ସଙ୍କଟ ସୃଷ୍ଟି ହୋଇଛି । ଯେଉଁ କାରଣରୁ ତୈଳ, ଶକ୍ତି ଏବଂ ଗ୍ୟାସ ଅଭାବ ଦେଖାଯାଇଛି । ବିଜୁଳି ଯୋଗାଣ ବନ୍ଦ ରହିବା ଯୋଗୁଁ ଦିନକୁ ପ୍ରାୟ ୧୦ ଘଣ୍ଟା ଏଠାରେ ପାୱାର କଟ୍ ହେଉଛି । ସେହିପରି ସାମାନ୍ୟ ଖାଦ୍ୟସାମଗ୍ରୀ କିଣିବା ପାଇଁ ଦେଶବାସୀଙ୍କ ମୋଟା ଅଙ୍କର ଟଙ୍କା ଦେବାକୁ ପଡୁଛି ।
Powered by Froala Editor