ବାଧୁଛି ତେଲ ଦର : ହାଇଡ୍ରୋଜେନ କାର୍ ନେଇ ସଂସଦ ଆସିଲେ ଗଡକରୀ
ତେଲ ଦର ପକେଟ୍କୁ ବାଧୁଛି । କେବଳ ସାଧାରଣ ଲୋକ ନୁହେଁ ବଡ ବଡ ନେତା ବି ବଢୁଥିବା ତେଲ ଦରକୁ ନେଇ ଚିନ୍ତାରେ ପଡିଛନ୍ତି । ତେଣୁ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଗ୍ରୀନ ହାଇଡ୍ରୋଜେନ ପାୱାର କାର୍ ଧରି ସଂସଦରେ ପହଞ୍ଚିଛନ୍ତି। ଗଡ଼କରୀ ଧଳା ରଙ୍ଗର ଗ୍ରୀନ କାର୍ ଧରି ସଂସଦ ଆସିଛନ୍ତି। ଏହାର ନମ୍ବର ପ୍ଲେଟ ଗ୍ରୀନ ରଙ୍ଗରେ ଲେଖାଯାଇଛି। ସାଧାରଣତଃ ଲେକଟ୍ରିକ ଗାଡ଼ିରେ ଏପରି ନମ୍ବର ପ୍ଲେଟ ବ୍ୟବହାର କରାଯାଏ।
ଚଳିତ ମାସ ଆରମ୍ଭରେ ଗଡ଼କରୀ ଭାରତର ପ୍ରଥମ ହାଇଡ୍ରୋଜେନ ଭିତ୍ତିକ ଟୟାଟୋ ମିରାଇ ଏଫସିଇଭି କାର୍ ଲଞ୍ଚ କରିଥିଲେ। ଏଥିସହ ଗ୍ରୀନ ହାଇଡ୍ରୋଜେନ କାରକୁ କେମିତି ଶକ୍ତିଶାଳୀ କରିଥାଏ, ତା’ର ଭିଡିଓ ମଧ୍ୟ ଶେୟାର କରିଥିଲେ। ଆଜି ମନ୍ତ୍ରୀ ପରୀକ୍ଷା ମୂଳକ ଭାବେ ନିଜ ବାସଭବନରୁ ହାଇଡ୍ରୋଜେନ କାର୍ ଚଳାଇ ସଂସଦକୁ ଆସିଛନ୍ତି। ପୂର୍ବରୁ ସେ ପୁନଃ ନବୀକରଣ ଯୋଗ୍ୟ ଓ ସବୁଜ ଶକ୍ତିର ବ୍ୟବହାର କରିବାକୁ କହି ଆସୁଥିଲେ। ଏହି ଦୃଷ୍ଟିରୁ ସେ ଗ୍ରୀନ ହାଇଡ୍ରୋଜେନ କାର ଧରି ସଂସଦ ଆସିଛନ୍ତି।
ସୂଚନା ଅନୁଯାୟୀ, ହାଇଡ୍ରୋଜେନ ଭିତ୍ତିକ ଫ୍ୟୁଏଲ ସେଲ ଇଲେକଟ୍ରିକ ଭେଇକିଲ(ଏଫସିଇଭି) ଟ୍ୟାଙ୍କି ଫୁଲ ଥିଲେ ୬୦୦ କିମି ଯାତ୍ରା କରିପାରିବ। ଏଥିରେ ଯାତ୍ରା କଲେ କିମି ପିଛା ମାତ୍ର ୨ ଟଙ୍କା ଖର୍ଚ୍ଚ ହେବ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହାର ଟ୍ୟାଙ୍କି ଫୁଲ କରିବାକୁ ମାତ୍ର ୫ ମିନିଟ ସମୟ ଲାଗିଥାଏ। ତେଣୁ ଏଥିରେ ଯିବା ଆସିବା କଲେ ପରିବେଶ ପ୍ରଦୂଷଣରୁ ରକ୍ଷା ମିଳିବ। ଏଥିସହ କମ ଖର୍ଚ୍ଚରେ ଅଧିକ ଯାତ୍ରା ମଧ୍ୟ କରିହେବ।
Powered by Froala Editor