କେନ୍ଦ୍ର କର୍ମଚାରୀଙ୍କୁ ଉପହାର : ୩ % ବଢ଼ିଲା ଡିଏ, ଡିଆର୍
କେନ୍ଦ୍ରୀୟ କର୍ମଚାରୀଙ୍କ ୩% ମହଙ୍ଗା ଭତ୍ତା ଓ ମହଙ୍ଗା ରିଲିଫ ରାଶି ବଢ଼ାଇଛନ୍ତି କେନ୍ଦ୍ର ସରକାର। ୧ ଜାନୁଆରୀ ୨୦୨୨ରୁ ପିଛିଲା ଭାବେ ନୂଆ ମୂଲ୍ୟ ଲାଗୁ ହେବ। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ଏନେଇ କ୍ୟାବିନେଟ୍ ବୈଠକ ହୋଇଥିଲା। ବୈଠକରେ ଡିଏ ଓ ଡିଆର୍ ତିନି ପ୍ରତିଶତ ବଢ଼ାଇବାକୁ ନିଷ୍ପତ୍ତି ଉପରେ ମୋହର ବାଜିଛି।
ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ଲାଗୁ ହେବା ପରେ କେନ୍ଦ୍ର କର୍ମଚାରୀ ଏବଂ ପେନ୍ସନ୍ଭୋଗୀଙ୍କୁ ଏବେ ୩୧% ବଦଳରେ ୩୪% ମହଙ୍ଗା ଭତ୍ତା ମିଳିବ। ଏହି ଘୋଷଣା ପରେ କର୍ମଚାରୀଙ୍କୁ ବର୍ଦ୍ଧିତ ଡିଏ ସହିତ ଜାନୁଆରୀ ଓ ଫେବ୍ରୁଆରୀ ୨୦୨୨ର ବକେୟା ଅର୍ଥ ମଧ୍ୟ ମିଳିବ। ମାର୍ଚ୍ଚ ମାସରେ କେନ୍ଦ୍ର କର୍ମଚାରୀଙ୍କୁ ନୂଆ ଦରମା ମିଳିବ। ସରକାରଙ୍କ ଏହି ଘୋଷଣା ଦ୍ୱାରା ୪୭.୬୮ ଲକ୍ଷ କେନ୍ଦ୍ର କର୍ମଚାରୀ ଉପକୃତ ହେବା ସହିତ ୬୮.୬୨ ଲକ୍ଷ ପେନ୍ସନ୍ ଉପଭୋକ୍ତା ମଧ୍ୟ ଲାଭ ପାଇପାରିବେ।
ସୂଚନା ଯୋଗ୍ୟ ଯେ, ଗତ ବର୍ଷ ଅକ୍ଟୋବରରେ କେନ୍ଦ୍ର ସରକାର ମହଙ୍ଗା ଭତ୍ତା ୨୮%ରୁ ୩୧% ବୃଦ୍ଧି କରିଥିଲେ। ଏହାପୂର୍ବରୁ ସେହିବର୍ଷ ଜୁଲାଇରେ ମହଙ୍ଗା ଭତ୍ତା ୧୭%ରୁ ୨୮%କୁ ବଢ଼ିଥିଲା।
Powered by Froala Editor