ଟୁଇଟରକୁ କୋର୍ଟଙ୍କ ତାଗିଦ୍ : ହିନ୍ଦୁ ଦେବାଦେବୀଙ୍କ ପ୍ରତି ହେଉଥିବା ଆପତ୍ତିଜନକ ପୋଷ୍ଟକୁ ବ୍ଲକ୍ କର
ଦିଲ୍ଲୀ ହାଇକୋର୍ଟ ଟୁଇଟରକୁ କହିଛନ୍ତି ଯେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ବିବାଦୀୟ ମନ୍ତବ୍ୟ ଦେଉଥିବା ଲୋକଙ୍କ ଆକାଉଣ୍ଟ୍କୁ ବ୍ଲକ୍ କରିବା ଉଚିତ। ଦେବୀଦେବତାଙ୍କ ପ୍ରତି ଆପତ୍ତିଜନକ ମନ୍ତବ୍ୟ ଦେଇଥିବାରୁ ଦିଲ୍ଲୀ ହାଇକୋର୍ଟ ଟୁଇଟରକୁ ତାଗିଦ୍ କରିଛନ୍ତି। କାର୍ଯ୍ୟରତ ପ୍ରଧାନ ବିଚାରପତି ଭିପିନ ସାଙ୍ଗି ଏବଂ ଜଷ୍ଟିସ ନବୀନ ଚାୱଲାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଟୁଇଟରର କାର୍ଯ୍ୟକଳାପ ସମ୍ପର୍କରେ ପ୍ରଶ୍ନ ପଚାରିଛନ୍ତି।
କୋର୍ଟ ମାଇକ୍ରୋବ୍ଲୋକିଙ୍ଗ୍ ସାଇଟ୍କୁ ପ୍ରଶ୍ନ କରିଛନ୍ତି ଯେ, ଯଦି ଡୋନାଲ୍ଡ ଟ୍ରମ୍ପଙ୍କ ଆକାଉଣ୍ଟ ବ୍ଲକ୍ ହୋଇ ପାରୁଛି ତେବେ ହିନ୍ଦୁ ଦେବାଦେବୀଙ୍କ ବିରୋଧରେ ଟିପ୍ପଣୀ କରୁଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କାହିଁକି ନିଆଯାଇ ପାରୁନାହିଁ ? ଏହି ମାମଲା ଏକ ଟୁଇଟର ଆକାଉଣ୍ଟ ସହ ଜଡିତ ଥିଲା, ଏଥିରେ ହିନ୍ଦୁ ଦେବୀଙ୍କ ବିରୋଧରେ ଆପତ୍ତିଜନକ ଟିପ୍ପଣୀ ପୋଷ୍ଟ କରାଯାଇଥିଲା। ହାଇକୋର୍ଟ ଟୁଇଟର ଉପରେ ପ୍ରଶ୍ନ ଉଠାଇ କହିଛନ୍ତି ଯେ, ଏହି ସଂସ୍ଥାର ଅନ୍ୟ ଲୋକଙ୍କ ଭାବନା ପ୍ରତି କୌଣସି ଚିନ୍ତା ନାହିଁ।
କୋର୍ଟ ଏକ ପିଟିଶନର ଶୁଣାଣି କରିଥିଲେ। ଏହି ଆବେଦନରେ କୁହାଯାଇଥିଲା ଯେ 'ଇଥିଷ୍ଟରପବ୍ଲିକ' ନାମକ ଏକ ଟୁଇଟର ହ୍ୟାଣ୍ଡେଲ ମା କାଳୀ ଏବଂ ଅନ୍ୟ ହିନ୍ଦୁ ଦେବତାଙ୍କୁ ପରିହାସ କରିଛି ଏବଂ ଆପତ୍ତିଜନକ ମନ୍ତବ୍ୟ ଦେଇଛି। ଏହିପରି ଆକାଉଣ୍ଟକୁ ନିଷିଦ୍ଧ କରିବାକୁ ଟୁଇଟର ଏକ ଏସ୍ପିଓ ଜାରି କରିବା ପାଇଁ ଆବେଦନରେ ଉଲ୍ଲେଖ କରାଯାଇଥିଲା।
ଟୁଇଟର କହିଛି ଯେ ଏହି ବିବାଦୀୟ ମନ୍ତବ୍ୟକୁ ହଟାଇ ଦିଆଯାଇଛି ଏବଂ ଏକ ଏଫଆଇଆର ମଧ୍ୟ ପଞ୍ଜିକୃତ ହୋଇଛି । ଟୁୁଇଟର ପକ୍ଷରୁ ଆଇନଜୀବୀ କହିଛନ୍ତି ଯେ କୋର୍ଟଙ୍କ ନିର୍ଦ୍ଦେଶ ବିନା କାହା ବିରୋଧରେ ଆସିଥିବା ଅଭିଯୋଗକୁ ଦେଖି ତାଙ୍କ ଅକାଉଣ୍ଟ୍କୁ ବ୍ଲକ୍ କରାଯାଇ ପାରିବ ନାହିଁ। ଏହାର ଜବାବରେ କୋର୍ଟ ପଚାରିଛନ୍ତି ତେବେ ଆପଣ ଡୋନାଲ୍ଡ ଟ୍ରମ୍ପଙ୍କ ଆକାଉଣ୍ଟ କେମିତି ବନ୍ଦ କରି ଦେଲେ। ଆମେ ଆକାଉଣ୍ଟ ବନ୍ଦ କରି ପାରିବୁ ନାହିଁ ଏହା କହିବା ସଂପୂର୍ଣ୍ଣ ଠିକ୍ ନୁହେଁ ବୋଲି କୋର୍ଟ କହିଛନ୍ତି।
Powered by Froala Editor