ନିର୍ବାଚନ ପାଇଁ ସଂସଦୀୟ କାର୍ୟ୍ୟାକାଳ ପ୍ରଭାବିତ ନ ହେଉ :ମୋଦି
ନୂଆଦିଲ୍ଲୀ: ଆଜିଠୁ ସଂସଦର ବଜେଟ ଅଧିବେଶନ ଆରମ୍ଭ ହୋଇଛି । କୋଭିଡ କଟକଣା ମଧ୍ୟରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଦୁଇଟି ପର୍ୟ୍ୟାୟରେ ଅନୁଷ୍ଠିତ ହେବ ବଜେଟ ଅଧିବେଶନ । ବଜେଟ ଅଧିବେଶନର ପ୍ରଥମ ଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦ କେନ୍ଦ୍ରୀୟ ହଲରେ ଉଭୟ ଲୋକସଭା ଏବଂ ରାଜ୍ୟସଭା ସଦସ୍ୟଙ୍କୁ ସମ୍ବୋଧନ କରିଛନ୍ତି ।
ତେବେ ଅଧିବେଶନ ଆରମ୍ଭ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂସଦରେ ପହଞ୍ଚି ସମସ୍ତ ସାଂସଦଙ୍କୁ ସ୍ବାଗତ କରିବା ସହିତ କହିଛନ୍ତି ଏହି ଅଧିବେଶନରେ ଆଲୋଚନା ଖୋଲା ମନୋଭାବରେ ହେଉ । ବିତର୍କ ବିଶ୍ବସ୍ତରୀୟ ହେଉ ଏବଂ ପ୍ରଭାବି ଚର୍ଚ୍ଚା ହେଉ । ମୁଁ ଆଶା କରୁଛି ଯେ ସମସ୍ତ ସାଂସଦ, ରାଜନୈତିକ ଦଳ ଖୋଲା ମନ ସହିତ ଗୁଣାତ୍ମକ ଆଲୋଚନା କରିବେ ଏବଂ ଦେଶକୁ ବିକାଶ ପଥରେ ନେବାରେ ସାହାଯ୍ୟ କରିବେ ବୋଲି କହିଛନ୍ତି ମୋଦି । ନିର୍ବାଚନ ଆସିବ ଯିବ ହେଲେ ନିର୍ବାଚନ ପାଇଁ ସଂସଦୀୟ କାର୍ୟ୍ୟାକାଳ ପ୍ରଭାବିତ ନ ହେଉ ।ଏହା ସତ ଯେ ମତଦାନ ଅଧିବେଶନ ଏବଂ ଆଲୋଚନା ଉପରେ ପ୍ରଭାବ ପକାଇଥାଏ । କିନ୍ତୁ ମୁଁ ସମସ୍ତ ସାଂସଦଙ୍କୁ ଅନୁରୋଧ କରୁଛି ଯେ ନିର୍ବାଚନ ଚାଲିବ ହେଲେ ବଜେଟ୍ ଅଧିବେଶନ ବର୍ଷସାରା ଏକ ବ୍ଲୁ ପ୍ରିଣ୍ଟ ଅଙ୍କନ କରିବ । ଆମେ ଏହି ଅଧିବେଶନକୁ ଯେତେ ଫଳପ୍ରଦ କରିବୁ, ବର୍ଷର ଅର୍ଥନୈତିକ ଉଚ୍ଚତାକୁ ଶିଖରରେ ପହଞ୍ଚାଇବାକୁ ସର୍ବୋତ୍ତମ ସୁଯୋଗ ହେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।
ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ବର୍ତ୍ତମାନର ଏହି ବିଶ୍ବ ସ୍ତରୀୟ ପରିସ୍ଥିତିରେ ଭାରତ ପାଇଁ ଅନେକ ସୁଯୋଗ ରହିଛି । ଏହି ଅଧିବେଶନ ଦେଶର ଅର୍ଥନୈତିକ ପ୍ରଗତି, ଟୀକାକରଣ କାର୍ୟ୍ୟକ୍ରମ, ମେଡ ଇନ୍ ଇଣ୍ଡିଆ ଟିକାରେ ବିଶ୍ବରେ ଭାରତର ଆତ୍ମବିଶ୍ବାସ ସୃଷ୍ଟି କରିବ । ଖୋଲା ମନରେ ଦେଶକୁ ପ୍ରଗତି ପଥରେ ଆଗେଇ ନେବାକୁ ସାଂସଦଙ୍କୁ ଆହ୍ବାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।
Powered by Froala Editor