ସାନରାଏପଡାରେ ଶିଶୁ କନ୍ୟା ବିକ୍ରି ଘଟଣା : ୫ ଜଣ ଗିରଫ

ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ସାନରାଏପଡା ଅଞ୍ଚଳରେ ଶିଶୁ କନ୍ୟାକୁ ୭ହଜାର ଟଙ୍କାରେ ବିକ୍ରି କରିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଏହି ଘଟଣାରେ ଗାଁର ଅଙ୍ଗନବାଡି କର୍ମୀଙ୍କ ସମେତ ୫ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ମହାକାଳପଡା ଅଂଚଳର ଦମ୍ପତି କୈଳାସ ବାରିକ ଓ ସସ୍ମିତା ବାରିକ, ମଧ୍ୟସ୍ଥତା କରିଥିବା ଅଙ୍ଗନୱାଡି କର୍ମୀ ପ୍ରଭାସିନୀ ଦାସ ଏବଂ ତାଙ୍କ ଭାଇ ଦୀପକ ଦାସଙ୍କ ସମେତ ଶିଶୁ କନ୍ୟାର ବାପା ନଟବର ବେହେରା ରହିଥିବା ପୁଲିସ ସୂଚନା ଦେଇଛି । ଗିରଫ ଅଭିଯୁକ୍ତମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ଜଣାଯାଇଛି ।
ସୂଚନା ମୁତାବକ, ଗତ ୨୭ତାରିଖରେ ସାନରାଏପଡା ଗ୍ରାମର ନଟବର ବେହେରାଙ୍କ ପତ୍ନୀ କାଞ୍ଚନ ବେହେରା ଧର୍ମଶାଳା ଡାକ୍ତରଖାନାରେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ । ୨୮ତାରିଖ ଦିନ ଡାକ୍ତରଖାନାରୁ ଡିସଚାର୍ଜ ହେବା ପରେ ଶିଶୁର ବାପା ନବ ଜନ୍ମିତ ଶିଶୁ କନ୍ୟାକୁ ୧୨ ହଜାର ଟଙ୍କାରେ କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ଅଞ୍ଚଳର ଦମ୍ପତିକୁ ବିକ୍ରି କରିଦେଇଥିଲେ । ତେବେ ଏ ସମ୍ପର୍କରେ ମେଡିକାଲ କର୍ତ୍ତୃପକ୍ଷ କିଛି ଜାଣିପାରିନ ଥିଲେ।
ଗତକାଲି ଘଟଣା ପ୍ରଚାରିତ ହେବା ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଘଟଣାର ତଦନ୍ତ କରିଥିଲା । ଏନେଇ ବିଭାଗ ପକ୍ଷରୁ କୋତପୁର ଫାଣ୍ଡିରେ ଲିଖିତ ଅଭିଯୋଗ ହେବା ପରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା । ତେବେ ଗତକାଲି ରାତିରେ ବିକ୍ରି ଶିଶୁ କନ୍ୟାଟିକୁ ଉଦ୍ଧାର କରାଯିବା ସହ ଆଜି ଏହି ଘଟଣାରେ ସଂପୃକ୍ତ ଥିବା ୫ଜଣ ଅଭିଯୁକ୍ତକୁ ଗିରଫ କରିଛି ପୁଲିସ ।
Powered by Froala Editor