ଆଜି ଚାଲିଯାଇଥିଲେ ଜାତିର ପିତା
ଭୁବନେଶ୍ୱର: ସାରା ବିଶ୍ୱକୁ ଶାନ୍ତିର ବାର୍ତ୍ତା ଦେଉଥିବା ଗାନ୍ଧୀ କେବଳ ରକ୍ତ ମାଂସରେ ଗଢା ଜଣେ ସ୍ଥୂଳ ମଣିଷ ନଥିଲେ, ଗାନ୍ଧୀ ଥିଲେ ଉତ୍ତରିତ ଚେତନାର ଶକ୍ତି ପ୍ରବାହ, ଅନ୍ଧାର ଭିତରେ ଧାରେ ଆଲୁଅର ବିଶ୍ୱାସ ଏବଂ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ମାନବତାର ଧ୍ୱଜଧାରୀ । ଯୁଦ୍ଧ-ତ୍ରସ୍ତ ବିଶ୍ୱକୁ ଯିଏ ଅହିଂସାର ଦୀକ୍ଷା ଦେଇଥିଲେ, ସତ୍ୟ ଓ ଅହିଂସାକୁ ଅସ୍ତ୍ର କରି ବାଡି ଖଣ୍ଡେ ଧରି ଯିଏ ଭାରତର ଭାଗ୍ୟ ଓ ଭବିଷ୍ୟତ ବଦଳାଇବାକୁ ଚେଷ୍ଟା କରୁଥିଲେ, ସେ ଥିଲେ ଜାତିର ପିତା ମହାତ୍ମା ଗାନ୍ଧୀ । ଶାନ୍ତିର ଭାରତ ପ୍ରତିଷ୍ଠା କରିବା ପାଇଁ ନିଜକୁ ତିଳ ତିଳ କରି ଜାଳୁଥିଲେ ।
୧୯୪୮ ଜାନୁୟାରୀ ୩୦ତାରିଖ ସନ୍ଧ୍ୟା ଥିଲା ଭାରତ ପାଇଁ ଏକ କାଳସନ୍ଧ୍ୟା । ଦିଲ୍ଲୀର ବିରଳା ଭବନରେ ଆୟୋଜିତ ପ୍ରାର୍ଥନା ସଭାକୁ ଜାତିର ଜନକ ମହାତ୍ମା ଗାନ୍ଧୀ ଯାଉଥିବା ସମୟରେ ସମସ୍ତଙ୍କୁ ସ୍ତବ୍ଧ କରି ଗୁଳି ଫୁଟିଥିଲା । କେହି କିଛି ବୁଝିବା ପୂର୍ବରୁ ଗାନ୍ଧିଜୀ ରକ୍ତାତ ହୋଇ ଟଳି ପଡିଥିଲେ । ଭିଡର ସୁଯୋଗ ନେଇ ଗୁଳି ଚଳାଇଥିବା ନାଥୁରାମ ଗଡ୍ସେ ଖସିଯିବାକୁ ଚେଷ୍ଟା କରୁଥିବାବେଳେ ମାଡି ବସିଥିଲେ ସେଠାରେ ମାଳି ଭାବେ କାମ କରୁଥିବା ୩୭ବର୍ଷୀୟ ରଘୁନାଥ ନାୟକ । ହାତରେ ଧରିଥିଲେ ମାଟି ଖୋଳୁଥିବା ଖୁରୁପି । ସେହି ଅସ୍ତ୍ରରେ ନାଥୁରାମଙ୍କ ମୁଣ୍ଡକୁ ସେ ଆଘାତ କରିବାରୁ ତାଙ୍କ ମୁଣ୍ଡରୁ ରକ୍ତ ବାହାରିଥିଲା ଏବଂ ସେ ଆଉ ଖସି ଯାଇପାରିନଥିଲେ । ତୁରନ୍ତ ନାଥୁରାମଙ୍କୁ ନିଜ କବଳକୁ ନେଇଯାଇଥିଲେ ରଘୁ । ପରେ ସେ ଏହି ବିଚାର ପ୍ରକ୍ରିୟାରେ ପ୍ରତ୍ୟକ୍ଷଦର୍ଶୀ ଭାବେ ବିଚାରପତି ଆତ୍ମଚରଣଙ୍କ ସମ୍ମୁଖରେ ସାକ୍ଷ୍ୟ ଦେଇଥିଲେ । ଏହି ଘଟଣାରେ ନାଥୁରାମ ଗଡ୍ସେଙ୍କୁ ଫାଶି ଦଣ୍ଡାଦେଶ ହୋଇଥିଲା । ୧୯୫୫ ମସିହାରେ ତକôାଳୀନ ରାଷ୍ଟ୍ରପତି ଡ. ରାଜେନ୍ଦ୍ର ପ୍ରସାଦ ଏକ ପ୍ରଶଂସାପତ୍ର ସହ ପାଞ୍ଚ ଶହ ଟଙ୍କା ଦେଇ ରଘୁଙ୍କୁ ସମ୍ମାନିତ କରିଥିଲେ ।
Powered by Froala Editor