୧ରୁ ଭକ୍ତଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର
ପୁରୀ: ଫେବୃଆରୀ ୧ତାରିଖରୁ ଭକ୍ତ ପୁଣି ଶ୍ରୀମନ୍ଦିର ରତ୍ନସିଂହାସନରେ ବିଜେ କାଳିଆ ଠକୁରଙ୍କୁ ଦର୍ଶନ କରିପାରିବେ । ଭକ୍ତଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର । ଫେବ୍ରୁଆରୀ ୧ ତାରିଖରୁ କୋଭିଡ୍ ଗାଇଡ୍ଲାଇନ୍ରେ ଖୋଲିବ ଶ୍ରୀମନ୍ଦିର । ଭକ୍ତମାନେ ଶୃଙ୍ଖଳିତ ଭାବେ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ । ଗତକାଲି ବସିଥିବା ଛତିଶା ନିଯୋଗ ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି । ବୈଠକ ପରେ ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ।
ଗତକାଲି ବସିଥିଲା ଛତିଶା ନିଯୋଗ ବୈଠକ । ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ହୋଇଥିବା ଏହି ବୈଠକରେ ଶ୍ରୀମନ୍ଦିରର ସବୁ ସେବାୟତ ଓ ଜିଲ୍ଲାପ୍ରଶାସନର ଅଧିକାରୀମାନେ ଯୋଗଦେଇଥିଲେ । ବୈଠକରେ ଶ୍ରୀମନ୍ଦିର ଖୋଲିବା ଉପରେ ଆଲୋଚନା ହୋଇଥିଲା । ସମସ୍ତେ ମନ୍ଦିର ଖୋଲିବା ଉପରେ ଗୁରୁତ୍ୱ ଦେଇଥିଲେ। ବୈଠକ ପରେ ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି, ଫେବ୍ରୁଆରୀ ୧ ତାରିଖରୁ ସାଧାରଣ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର । ପୂର୍ବପରି ପ୍ରତି ରବିବାର ବନ୍ଦ ରହିବ ଶ୍ରୀମନ୍ଦିର । ସେହି ଦିନ ମନ୍ଦିର ସାନିଟାଇଜ୍ କରାଯିବ । ମନ୍ଦିର ଖୋଲିବା ଓ ବନ୍ଦ ନେଇ ଏସ୍ଓପି ଆସିବ । ପୂର୍ବପରି ପଶ୍ଚିମ ଦ୍ୱାର ଦେଇ ଶ୍ରୀମନ୍ଦିରକୁ ପୁରୀ ସହରବାସୀ ପ୍ରବେଶ କରିବେ । ଅନ୍ୟ ଶ୍ରଦ୍ଧାଳୁମାନେ ପୂର୍ବ ଦ୍ୱାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରିବେ ବୋଲି ଜିଲ୍ଲାପାଳ କହିଛନ୍ତି ।
ସକାଳ ୬ଟାରୁ ୯ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଦର୍ଶନ ଅନୁମତି ମିଳିବ । ସକାଳ ୬ଟା ପୂର୍ବରୁ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ ନୀତି ବଢାଇବାକୁ ବୈଠକରେ ପରାମର୍ଶ ଦିଆଯାଇଥିଲା ।
Powered by Froala Editor