ଡ. ଭେଙ୍କଟରମନ ଅନନ୍ତ ନାଗେଶ୍ୱରନ ଦେଶର ନୂଆ ମୁଖ୍ୟ ଅର୍ଥନୀତିକ ପରାମର୍ଶଦାତା

ଦେଶର ନୂଆ ମୁଖ୍ୟ ଅର୍ଥନୀତିକ ପରାମର୍ଶଦାତା ହେଲେ ଡ. ଭେଙ୍କଟରମନ ଅନନ୍ତ ନାଗେଶ୍ୱରନ। ସେ କେଭି ସୁବ୍ରମଣିୟନଙ୍କ ସ୍ଥାନରେ ନିଯୁକ୍ତି ପାଇଛନ୍ତି। ଗତ ଡିସେମ୍ବର ମାସରେ କେଭି ସୁବ୍ରମଣ୍ୟମ ଇସ୍ତଫା ଦେବା ପରେ ଏହି ପଦବୀଟି ଖାଲି ଥିଲା । କିନ୍ତୁ ସୋମବାର ଦିନ ଲୋକସଭାରେ ଅର୍ଥନୈତିକ ସର୍ଭେ ଉପସ୍ଥାପିତ ହେବାକୁ ଥିବାରୁ, ତା ପୂର୍ବରୁ ସରକାର ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ପଦବୀକୁ ପୂରଣ କରିଛନ୍ତି ।
ନାଗେଶ୍ୱରନ ଜଣେ ଶକ୍ଷାବିତ। ସେ ୧୯୮୫ରେ ଆଇଆଇଏମ ଅହମଦାବାଦରୁ ଏମବିଏରେ ପୋଷ୍ଟ ଗ୍ରାଜ୍ୟୁଏଟ ଡିପ୍ଲୋମା ହାସଲ କରିଥିଲେ। ଏହାପରେ ୧୯୯୪ରେ ସେ University of Massachusettsରୁ empirical behaviour of exchange rates କ୍ଷେତ୍ରରେ ଡକ୍ଟରେଟ ଡିଗ୍ରୀ ହାସଲ କରିଛନ୍ତି। ୧୯୯୪ରୁ ୨୦୧୧ ମଧ୍ୟରେ ସେ ସ୍ୱିଜରଲ୍ୟାଣ୍ଡ ଓ ସିଙ୍ଗାପୁରର ଅନେକ ଘରୋଇ ମାକ୍ରୋ ଇକୋନୋମି ଏବଂ କ୍ୟାପିଟାଲ ମାର୍କେଟ ରିସର୍ଚ୍ଚ ଇନଷ୍ଟିଚ୍ୟୁଟରେ ନେତୃତ୍ୱ ଭୂମିକା ତୁଲାଇ ଥିଲେ। ସେ ଆନ୍ଧ୍ର ପ୍ରଦେଶରେ ଥିବା କ୍ରେଆ ବିଶ୍ୱବିଦ୍ୟାଳୟରେ ଅର୍ଥନୀତିକ ପାଠ୍ୟକ୍ରମର ପ୍ରଫେସର ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି।
ସେ କ୍ରେଡିଟ ସୁଇସ ଗ୍ରୁପ ଏଜି ଓ ଜୁଲିୟସ ବେର ଗ୍ରୁପ୍ରେ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟ କରିବାର ଅଭିଜ୍ଞତା ରଖିଛନ୍ତି। ମହାମାରୀ କରୋନା ପାଇଁ ଦେଶର ଅର୍ଥନୀତି ବିପର୍ଯ୍ୟୟ ଅବସ୍ଥାକୁ ଚାଲି ଆସିଥିଲା। ଏବେ ଧୀରେଧୀରେ ଏଥିରେ ସୁଧାର ଆସୁଛି। ତଥାପି ଆଗକୁ ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାର ଆଶଙ୍କା ରହିଛି। ଏସବୁ ଭିତରେ ଭାରତ ସରକାର ଭେଙ୍କଟରମନଙ୍କୁ ମୁଖ୍ୟ ଅର୍ଥନୀତିକ ପରାମର୍ଶଦାତା ଭାବେ ନିଯୁକ୍ତି ଦେଇଛନ୍ତି।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଦେଶରେ ଜାରି ରହିଥିବା ଆୟ କ୍ଷେତ୍ରରେ ଅସମାନତା ଓ ବେକାରି ସମସ୍ୟା ଦୂର କରିବାକୁ ଅର୍ଥମନ୍ତ୍ରଣାଳୟ ଚେଷ୍ଟା କରୁଛି। ଏ କ୍ଷେତ୍ରରେ ଭେଙ୍କଟରମନଙ୍କ ରଣନୀତି କ’ଣ ରହିବ, ତା’ ଉପରେ ସମସ୍ତଙ୍କ ନଜର ରହିବ।
Powered by Froala Editor